ନ୍ୟୁଜ ଡେକ୍ସ : ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଏବଂ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ସରକାର। କୋମଳମତି ଶିଶୁଙ୍କ ଉପରେ ବଢ଼ୁଥିବା ପାଠପଢ଼ାର ଚାପ ଏବଂ ଭାରୀ ବସ୍ତାନିର ବୋଝକୁ କମାଇବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଶିକ୍ଷାବର୍ଷ ପାଇଁ ସ୍ୱତନ୍ତ୍ର ନୀତି ଓ ପାଠଦାନ ସମୟସୂଚୀ ପ୍ରକାଶ କରାଯାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦କୁ ବିଦ୍ୟାଳୟ ସ୍ତରରେ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏହି ନୂତନ ବ୍ୟବସ୍ଥା ଆଣାଯାଇଛି।
ନୂଆ ନିୟମ ଅନୁଯାୟୀ, ବର୍ଷକୁ ୧୦ ଦିନ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ବସ୍ତାନି ବିନା ବିଦ୍ୟାଳୟକୁ ଆସିବେ। ଏହି ସମୟରେ ପିଲାମାନେ ପୁସ୍ତକ ଓ ଖାତାରେ ସୀମିତ ନ ରହି ବିଭିନ୍ନ ସୃଜନଶୀଳ କାର୍ଯ୍ୟ, ବ୍ୟାବହାରିକ ଜ୍ଞାନ, କୌଶଳ ବିକାଶ ଏବଂ ସାମାଜିକ ଶିକ୍ଷା ସହ ଜଡ଼ିତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ। ଏହା ଦ୍ୱାରା ପିଲାଙ୍କ ମାନସିକ ବିକାଶ ସହିତ ସେମାନଙ୍କ ସୃଜନଶୀଳତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ନୂତନ ଶିକ୍ଷା ବ୍ୟବସ୍ଥାରେ ପାଠପଢ଼ାକୁ ଅଧିକ କାର୍ଯ୍ୟଭିତ୍ତିକ ଓ ଗଠନମୂଳକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପାରମ୍ପରିକ ଭାବେ କେବଳ ପାଠ୍ୟପୁସ୍ତକକୁ କେନ୍ଦ୍ର କରି ଶିକ୍ଷାଦାନ କରିବା ପରିବର୍ତ୍ତେ ଏବେ ପିଲାମାନଙ୍କ ଅନୁଭୂତି, ଅଭ୍ୟାସ ଓ ବ୍ୟବହାରିକ ଜ୍ଞାନକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ଏଥିପାଇଁ ପାଠ୍ୟବିଷୟର ଭାର ମଧ୍ୟ ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ବିଭାଗ ପକ୍ଷରୁ ପ୍ରକାଶିତ ନୂଆ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ, ଏକ ଶିକ୍ଷାବର୍ଷରେ ମୋଟ ୨୩୦ ଦିନ ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲିବ।
ପ୍ରତି ଶନିବାରକୁ ବସ୍ତାନି ବିହୀନ ଦିବସ ଭାବେ ପାଳନ କରାଯିବ। ବିଶେଷକରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ କୌଶଳଭିତ୍ତିକ ଶିକ୍ଷାର ଏକ ପାଠଘଣ୍ଟାକୁ ସମ୍ପୂର୍ଣ୍ଣ ବସ୍ତାନି ବିହୀନ କରାଯିବ। ଏହି ସମୟରେ ପିଲାମାନେ ବିଭିନ୍ନ ଜୀବନୋପଯୋଗୀ କୌଶଳ, ହସ୍ତକଳା, ସାମାଜିକ ଦାୟିତ୍ୱ ଏବଂ ବ୍ୟବହାରିକ ଜ୍ଞାନ ଅର୍ଜନ କରିବେ।ଏହାସହ ପ୍ରତ୍ୟେକ ଶନିବାର ବିଦ୍ୟାଳୟରେ ଶିଶୁ ସଭା ଆୟୋଜନ କରାଯିବ। ଏହି ସଭା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ମତାମତ ପ୍ରକାଶ କରିବା, ନେତୃତ୍ୱ ଗୁଣ ବିକାଶ କରିବା ଏବଂ ସାମୂହିକ କାର୍ଯ୍ୟରେ ଅଂଶ ନେବାର ସୁଯୋଗ ପାଇବେ। ଶିଶୁ ବାଟିକା ସ୍ତରର ପିଲାମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସାମାଜିକ ଏବଂ ମାନସିକ ବିକାଶକୁ ଗୁରୁତ୍ୱ ଦେଇ ପ୍ରତିଦିନ ଗୋଲ ବୈଠକ ଆୟୋଜନ କରାଯିବ।
ଏହି ବୈଠକ ମାଧ୍ୟମରେ ପିଲାମାନେ ପରସ୍ପର ସହ ମିଶିବା, କଥାବାର୍ତ୍ତା କରିବା ଏବଂ ସାମୂହିକ ଭାବନାର ବିକାଶ କରିପାରିବେ।ବିଭାଗ ପକ୍ଷରୁ ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୯୮ ପ୍ରକାରର ସମୟସୂଚୀ ପ୍ରସ୍ତୁତ କରାଯାଇଛି। ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ୪୨ଟି ପାଠଘଣ୍ଟା ନିର୍ଦ୍ଧାରିତ ହୋଇଥିବାବେଳେ ପ୍ରତିଦିନ ୭ଟି ପାଠଘଣ୍ଟାରେ ଶିକ୍ଷାଦାନ କରାଯିବ। ନୂଆ ବ୍ୟବସ୍ଥା ମାଧ୍ୟମରେ ପିଲାମାନଙ୍କ ଉପରେ ଶିକ୍ଷାର ଚାପ କମିବା ସହିତ ସେମାନଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

