ନ୍ୟୁଜ ଡେକ୍ସ : ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଥିବା ବେଳେ ପୁଣିଥରେ ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ରାଜ୍ୟର ୨୬ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି, ପ୍ରବଳ ପବନ ଏବଂ ବର୍ଷାର ସମ୍ଭାବନା ଥିବାରୁ ସତର୍କ ସୂଚନା ପ୍ରକାଶ କରାଯାଇଛି। ସେଥିମଧ୍ୟରୁ ୭ଟି ଜିଲ୍ଲାକୁ ଉଚ୍ଚ ସତର୍କତା ଏବଂ ୧୯ଟି ଜିଲ୍ଲାକୁ ସାଧାରଣ ସତର୍କତା ଜାରି କରାଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବର୍ଷା ସହ ବିଜୁଳି ଘଡ଼ଘଡ଼ି ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏହାର ପ୍ରଭାବରେ କିଛି ସ୍ଥାନରେ ଗଛ ଉପୁଡ଼ିବା, ଛୋଟ ଘରବାଡ଼ିର କ୍ଷତି ଏବଂ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ତେଣୁ ଲୋକଙ୍କୁ ସତର୍କ ରହିବା ସହ ଅତ୍ୟାବଶ୍ୟକ ନ ହେଲେ ଘରୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।ବିଶେଷକରି ବଜ୍ରପାତ ସମୟରେ ଖୋଲା ସ୍ଥାନରେ ରହିବା, ଗଛ ତଳେ ଆଶ୍ରୟ ନେବା ଓ ଜଳାଶୟ ନିକଟକୁ ଯିବା ବିପଦଜନକ ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ସତର୍କ କରିଛନ୍ତି। ପାଗ ଖରାପ ଥିଲେ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ବିଜୁଳି ସଂଯୋଗ ଥିବା ଯନ୍ତ୍ରପାତିରୁ ଦୂରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୯ ତାରିଖରେ ରାଜ୍ୟର ୨୦ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା ଥିବାରୁ ସତର୍କତା ଜାରି ହୋଇଛି।
ସେହିପରି ୧୦ ତାରିଖରେ ୨୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ୧୧ ତାରିଖରେ ସମଗ୍ର ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଫଳରେ ଆସନ୍ତା କିଛି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ତାପମାତ୍ରାରେ ମଧ୍ୟ ହ୍ରାସ ଦେଖାଦେଇପାରେ।ଏପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ଯେ, ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ଯଦି ସମସ୍ତ ପରିସ୍ଥିତି ଅନୁକୂଳ ରହେ, ତେବେ ଖୁବଶୀଘ୍ର ରାଜ୍ୟରେ ମୌସୁମୀ ବାୟୁର ଆଗମନ ହୋଇପାରେ। ଏହା ଚାଷୀମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ହୋଇଥିବା ବେଳେ ଗ୍ରୀଷ୍ମ ପ୍ରବାହରୁ ମଧ୍ୟ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

