ନ୍ୟୁଜ ଡେକ୍ସ : କଟକରେ କାଳବୈଶାଖୀ ବର୍ଷା ଓ ଘଡଘଡ଼ିର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ସନ୍ଧ୍ୟା ସମୟରେ ପ୍ରବଳ ପବନ ସହ ବର୍ଷା ହୋଇଥିବା ବେଳେ ମା’ କଟକଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ ଘଟିଥିବା ସୂଚନା ମିଳିଛି। ବଜ୍ରପାତ ଯୋଗୁ ମନ୍ଦିର ଶିଖରରେ ଫାଟ ସୃଷ୍ଟି ହେବା ସହ ମନ୍ଦିରର କିଛି ପଥର ଖସି ପଡ଼ିଥିବା ଜଣାପଡ଼ିଛି।ଅନ୍ୟପଟେ ବର୍ଷା ଓ ଝଡ଼ ପବନ କଟକ ସହରର ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ଘଟାଇଛି।
ବହୁ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ଓଏମପି–କନ୍ଦରପୁର ଜାତୀୟ ରାଜପଥ ଉପରେ ଏକାଧିକ ଗଛ ପଡ଼ିଯାଇଛି। ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଦିନବେଳେ କଟକର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବର୍ଷା ପରେ ଏହା ୨୮ ଡିଗ୍ରୀକୁ ଖସି ଆସିଥିଲା।
ଗତ କିଛି ଦିନ ଧରି ଅସହ୍ୟ ଗରମ ଓ ଗୁଳୁଗୁଳି ପାଗରେ ଅତିଷ୍ଠ ହୋଇପଡ଼ିଥିବା ସହରବାସୀଙ୍କୁ କାଳବୈଶାଖୀ ବର୍ଷା ବେଶ୍ ଆଶ୍ୱସ୍ତି ଦେଇଛି। ବର୍ଷା ପରେ ପରିବେଶ ଥଣ୍ଡା ହେବା ସହ ସୁଲୁସୁଲିଆ ପବନ ଲୋକଙ୍କୁ ଗ୍ରୀଷ୍ମ ତାତିରୁ ସାମୟିକ ମୁକ୍ତି ଦେଇଛି। ତେବେ କାଳବୈଶାଖୀ ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗଛ ହଟାଇ ସ୍ୱାଭାବିକ ଯାତାୟାତ ବ୍ୟବସ୍ଥା ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉଛି।

