ନ୍ୟୁଜ ଡେକ୍ସ : ସମ୍ବଲପୁର ସହରର ଯାତାୟାତ ବ୍ୟବସ୍ଥାରେ ଆଜି ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଗସ୍ତରେ ସମ୍ବଲପୁର ପହଁଚି ସହର ପାଇଁ ୨୫ଟି ନୂତନ ଇଲେକ୍ଟ୍ରିକ୍ ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହା ସହ ଅଇଁଠାପାଲି ନିକଟରେ ନିର୍ମିତ ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପ ପାଇଁ ବସ୍ ଓ ଟର୍ମିନାଲର ରକ୍ଷଣାବେକ୍ଷଣ ସହିତ ସମୁଦାୟ ୨୩୮.୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ହୋଇ ସମ୍ବଲପୁରରେ ପହଁଚିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ମା ସମଲେଇଙ୍କ ଦର୍ଶନ କରି ରାଜ୍ୟର ସାମଗ୍ରିକ ବିକାଶ ଓ ଲୋକକଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହା ପରେ ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱସ୍ଥିତ ରିଭରଫ୍ରଣ୍ଟରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନୂଆ ୨୫ଟି ଇଭି ବସ୍ ସେବାର ଶୁଭାରମ୍ଭ କରିଥିଲେ।
ଇ-ବସ୍ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ନିଜେ ଟିକେଟ କାଟି ଏକ ଇ-ବସ୍ରେ ଯାତ୍ରା କରି ସାଧାରଣ ଯାତ୍ରୀଙ୍କ ସହ ଯାତାୟାତ ଅନୁଭୂତି ନେଇଥିଲେ। ଏହି ଇଭି ବସ୍ଗୁଡ଼ିକ ସମ୍ବଲପୁର ମହାନଗର ଅଞ୍ଚଳର ସମସ୍ତ ପ୍ରମୁଖ ସ୍ଥାନକୁ ସଂଯୋଗ କରିବ, ଯାହା ଫଳରେ ଦୈନନ୍ଦିନ ଯାତାୟାତ ସହଜ ଓ ସୁରୁଖୁରୁ ହେବ ବୋଲି ଆଶା କରାଯାଉଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ସମ୍ବଲପୁର ସହରବାସୀଙ୍କ ସୁବିଧା ପାଇଁ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ନୂତନ ବସ୍ ସେବା ଆରମ୍ଭ କରାଯିବ। ସେହିପରି ଇ-ବସ୍ର ସୁଚାରୁ ପରିଚାଳନା, ରକ୍ଷଣାବେକ୍ଷଣ ଓ ଯାତ୍ରୀ ସୁବିଧାକୁ ଦୃଷ୍ଟିରେ ରଖି ୧୩ ଏକରରୁ ଅଧିକ ଜମିରେ ନିର୍ମିତ ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ମଧ୍ୟ ଉଦଘାଟନ କରାଯାଇଛି।ନୂତନ ଇ-ବସ୍ଗୁଡ଼ିକୁ ଦିବ୍ୟାଙ୍ଗ-ମିତ୍ର କରାଯାଇଛି।
ଦିବ୍ୟାଙ୍ଗମାନେ ସହଜରେ ନିଜ ହୁଇଲଚେୟାର ସହ ବସ୍ରେ ପ୍ରବେଶ କରିପାରିବେ ଓ ବାହାରିପାରିବେ। ବସ୍ମାନେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସହ ଯାତ୍ରୀଙ୍କ ପାଇଁ ରିହାତି ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି, ଯାହା ସବୁଜ ଓ ସ୍ମାର୍ଟ ଯାତାୟାତର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଉଦଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ସହ ଅନ୍ୟାନ୍ୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।ସମଗ୍ର ଭାବେ, ସମ୍ବଲପୁରରେ ଆରମ୍ଭ ହୋଇଥିବା ଇ-ବସ୍ ସେବା ଓ ନୂତନ ବସ୍ ଟର୍ମିନାଲ ସହରକୁ ସବୁଜ, ସୁରକ୍ଷିତ ଓ ସୁବିଧାଜନକ ଯାତାୟାତର ଦିଗରେ ଏକ ନୂଆ ପରିଚୟ ଦେବ ବୋଲି ମତ ପ୍ରକାଶ ପାଇଛି।

