ନ୍ୟୁଜ ଡେକ୍ସ :ବଜାରରେ ସୁନା ଓ ରୂପା ଦର ଦିନକୁ ଦିନ ଆକାଶଛୁଆଁ ହୋଇଚାଲିଛି। ଗତ ସପ୍ତାହରେ ସାମାନ୍ୟ ହ୍ରାସ ପରେ ଆଜି ପୁଣି ନୂଆ ଦର ସାମ୍ନାକୁ ଆସିଛି ଏବଂ ସୁନା ଦର ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୧.୪୦ ଲକ୍ଷ ଟଙ୍କା ଅତିକ୍ରମ କରି ଗ୍ରାହକଙ୍କୁ ଚମକି ଦେଇଛି।ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୧ ଲକ୍ଷ ୪୨ ହଜାର ୩୦୦ ଟଙ୍କା ରହିଛି, ଯାହା ଗତ ସପ୍ତାହ ତୁଳନାରେ ୨,୪୩୭ ଟଙ୍କା ଅଧିକ।
ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୩୦ ହଜାର ୪୫୦ ଟଙ୍କାକୁ ପହଞ୍ଚିଛି। ଭୁବନେଶ୍ୱର ବଜାରରେ ମଧ୍ୟ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ୩୦୦ ଟଙ୍କାରେ ବିକ୍ରି ହେଉଛି।ସୁନା ସହ ରୂପା ଦର ମଧ୍ୟ ଗ୍ରାହକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ରୂପା ଦର କିଲୋଗ୍ରାମ ପ୍ରତି ୧୨ ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇ ୨ ଲକ୍ଷ ୬୫ ହଜାର ୧୩୩ ଟଙ୍କାରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତାନୁସାରେ, ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗ୍ରାହକଙ୍କ କ୍ରୟ ଧାରାରେ ସ୍ପଷ୍ଟ ପରିବର୍ତ୍ତନ ଦେଖାଯାଉଛି।
ଏବେ ଗ୍ରାହକମାନେ ଆବଶ୍ୟକତା ଆଧାରରେ ସୁନା କ୍ରୟ କରୁଥିବାବେଳେ, ସଉକ ପାଇଁ କିଣିବା ପୂର୍ବରୁ ଭଲଭାବେ ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି। ଅଧିକାଂଶ ଲୋକ ହାଲ୍କା ଓଜନର ସୁନା ଗହଣା ପ୍ରତି ଆକର୍ଷିତ ହେଉଛନ୍ତି।ଅନ୍ୟପକ୍ଷରେ, ନିବେଶ ଉଦ୍ଦେଶ୍ୟରେ ୨୪ କ୍ୟାରେଟ୍ ସୁନା କ୍ରୟ କରୁଥିବା ଗ୍ରାହକମାନେ ଭବିଷ୍ୟତରେ ଉତ୍ତମ ରିଟର୍ଣ୍ଣ ଆଶାରେ ସେମାନଙ୍କ କ୍ରୟ ଜାରି ରଖିଛନ୍ତି ବୋଲି ସୁନା ସୋରୁମ୍ର ଅଧିକାରୀମାନେ କହିଛନ୍ତି।

