ନ୍ୟୁଜ ଡେକ୍ସ : ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଯାଉଥିବା ବ୍ରିକ୍ସ ୨୦୨୬ ମଞ୍ଚକୁ ପଦ୍ମ ଫୁଲର ପ୍ରତୀକରେ ସଜ୍ଜିତ କରାଯାଇଛି। ମଙ୍ଗଳବାର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବ୍ରିକ୍ସ ୨୦୨୬ ପାଇଁ ସରକାରୀ ଲୋଗୋ ଓ ଆଧିକାରିକ ୱେବସାଇଟ୍ର ଉଦଘାଟନ କରିଛନ୍ତି। ଏହି ଲୋଗୋର କେନ୍ଦ୍ରବିନ୍ଦୁରେ ଥିବା ପଦ୍ମ ଚିହ୍ନ ଭାରତୀୟ ସଂସ୍କୃତି, ଶକ୍ତି ଓ ଐକ୍ୟର ପ୍ରତୀକ ଭାବେ ଆକର୍ଷଣ ସୃଷ୍ଟି କରିଛି।ଲୋଗୋ ଲଞ୍ଚ ପରେ ମନ୍ତ୍ରୀ ଜୟଶଙ୍କର କହିଥିଲେ ଯେ ଭାରତର ନେତୃତ୍ୱରେ ବ୍ରିକ୍ସ ଗୋଷ୍ଠୀ ବିଶ୍ୱ କଲ୍ୟାଣ, ସହଯୋଗ ଓ ସାମୂହିକ ଉନ୍ନତିକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱ ଦେବ।
ବିଶେଷ କରି ବ୍ରିକ୍ସ ଗୋଷ୍ଠୀ ଏହାର ୨୦ତମ ବାର୍ଷିକୀ ପାଳନ କରୁଥିବା ସମୟରେ ଏହି ଅଧ୍ୟକ୍ଷତା ଏକ ନୂଆ ଦିଗ ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ବ୍ରାଜିଲ, ରୁଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକା ନେତୃତ୍ୱରେ ୨୦୦୬ ମସିହାରେ ଗଠିତ ବ୍ରିକ୍ସ ଗୋଷ୍ଠୀ ପରେପରେ ବିସ୍ତାର ପାଇଛି। ସମ୍ପ୍ରତି ମିଶର, ଇଥିଓପିଆ, ଇରାନ, ସଂଯୁକ୍ତ ଆରବ ଏମିରେଟ୍ସ ଓ ଇଣ୍ଡୋନେସିଆ ପୂର୍ଣ୍ଣ ସଦସ୍ୟ ଭାବେ ଏହି ମଞ୍ଚରେ ଯୋଗ ଦେଇଛନ୍ତି।ଅଧିକାରୀମାନଙ୍କ କହିବାନୁସାରେ, ନୂଆ ଲୋଗୋଟି ଭାରତର ଗଭୀର ସାଂସ୍କୃତିକ ଐତିହ୍ୟରୁ ପ୍ରେରିତ। ପଦ୍ମର ପାଖୁଡ଼ାଗୁଡ଼ିକ ବ୍ରିକ୍ସ ଦେଶମାନଙ୍କର ରଙ୍ଗ ଓ ବିଭିନ୍ନତାକୁ ପ୍ରତିନିଧିତ୍ୱ କରେ, ଯାହା ସାଧାରଣ ଉଦ୍ଦେଶ୍ୟ ସହିତ ଏକତାର ବାର୍ତ୍ତା ଦିଏ।
ଲୋଗୋରେ ଥିବା ‘ନମସ୍କାର’ ପ୍ରତୀକ ସମ୍ମାନ ଓ ସହଯୋଗର ଭାବନାକୁ ଉଜାଗର କରେ। ଏହା ସହ ଟ୍ୟାଗଲାଇନ୍ — “ସ୍ଥାୟୀତ୍ୱ, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶ ପାଇଁ ନିର୍ମାଣ” — ବ୍ରିକ୍ସର ଦୀର୍ଘମ୍ୟାଦୀ ଲକ୍ଷ୍ୟକୁ ପ୍ରତିବିମ୍ବିତ କରେ। ଏହା ସହ ଲଞ୍ଚ ହୋଇଥିବା ନୂଆ ବ୍ରିକ୍ସ ୱେବସାଇଟ୍କୁ ସମସ୍ତ ବ୍ରିକ୍ସ-ସମ୍ବନ୍ଧୀୟ ସୂଚନା ପାଇଁ ଏକ କେନ୍ଦ୍ରୀୟ ଡିଜିଟାଲ ପ୍ଲାଟଫର୍ମ ଭାବେ ବିକଶିତ କରାଯିବ। ଏଠାରେ ବ୍ରିକ୍ସର ପଦକ୍ଷେପ, ପ୍ରକଳ୍ପ, କାର୍ଯ୍ୟକ୍ରମ ଓ ସରକାରୀ ଡକ୍ୟୁମେଣ୍ଟ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ ରହିବ।

