ନ୍ୟୁଜ ଡେକ୍ସ : ପବିତ୍ର ମକର ସଂକ୍ରାନ୍ତି ଦିନେ ଶ୍ରୀକ୍ଷେତ୍ରରେ ଏକ ଅଘଟଣ ଘଟିଛି। ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଅବକାଶ ନୀତି ସମାପ୍ତ ହେବା ପରେ ଜୟ ବିଜୟ ଦ୍ୱାର ସମ୍ମୁଖରେ ରକ୍ତଛିଟା ପଡ଼ିଥିବା ଦେଖାଯାଇଥିଲା। ଏହା ପରେ ମନ୍ଦିର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି।ବଡ଼ ମହାସ୍ନାନ ନୀତି ହେତୁ ପ୍ରାୟ ଏକ ଘଣ୍ଟା ଧରି ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଥିଲା।
ଫଳସ୍ୱରୂପ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଅସ୍ତବ୍ୟସ୍ତତା ଦେଖାଯାଇଥିଲେ ମଧ୍ୟ, ସେବାୟତ ଓ ମନ୍ଦିର ପ୍ରଶାସନ ପରିସ୍ଥିତିକୁ ସଂଯମର ସହ ପରିଚାଳନା କରିଥିଲେ।ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ, ଜୟ ବିଜୟ ଦ୍ୱାର ସମ୍ମୁଖରୁ ଭିତର କାଠ ଅଞ୍ଚଳ ଓ ଭକ୍ତମାନେ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳରେ ଯଦି କୌଣସି ସେବାୟତ କିମ୍ବା ବ୍ୟକ୍ତି ଦୁର୍ଘଟଣାବଶତଃ ରକ୍ତକ୍ଷୟ ଘଟାନ୍ତି, କିମ୍ବା କୌଣସି ଛୋଟ ଶିଶୁ ବା ବୃଦ୍ଧ ବ୍ୟକ୍ତି ପରିସ୍ରା ବା ମଳତ୍ୟାଗ କରିଦେଇଥାନ୍ତି, ତେବେ ସଙ୍ଗେ ସଙ୍ଗେ ଚାଲୁଥିବା ସମସ୍ତ ନୀତି ବନ୍ଦ କରାଯାଏ।
ଏହା ପରେ ମହାପ୍ରଭୁଙ୍କ ପବିତ୍ରତା ରକ୍ଷା ପାଇଁ ବଡ଼ ମହାସ୍ନାନ ନୀତି ସମ୍ପାଦିତ କରାଯାଇଥାଏ। ମହାସ୍ନାନ ସମାପ୍ତ ହେବା ପରେ ପୁନର୍ବାର ନୀତି ଓ ସାଧାରଣ ଦର୍ଶନ ଆରମ୍ଭ କରାଯାଇଥିଲା।ଏହି ଘଟଣା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଶୃଙ୍ଖଳା ରକ୍ଷାକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଛି, ଯାହା ଆଗାମୀ ଦିନରେ ଏପରି ଅଘଟଣ ପୁନରାବୃତ୍ତି ନ ହୁଏ।

