ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ ଦୁଇଜଣ ନର୍ସ ଘାତକ ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ ପଡ଼ୋଶୀ ରାଜ୍ୟ ଓଡ଼ିଶା ମଧ୍ୟ ସତର୍କ ହୋଇଯାଇଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଯାତ୍ରା କରୁଥିବାରୁ ସଂକ୍ରମଣ ଆଶଙ୍କାକୁ ନେଇ ଚିନ୍ତା ବଢ଼ିଛି।
ସୂଚନା ଅନୁସାରେ, ଉତ୍ତର ୨୪ ପରଗନା ଜିଲ୍ଲାର ବାରସାତ ଅଞ୍ଚଳର ଦୁଇ ନର୍ସଙ୍କୁ ଗୁରୁତର ଅବସ୍ଥାରେ ନଦିଆ ଜିଲ୍ଲାର ଅଖିଳ ଭାରତୀୟ ଚିକିତ୍ସା ପ୍ରତିଷ୍ଠାନ (ଏମ୍ସ) କଲ୍ୟାଣୀକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ନମୁନା ପରୀକ୍ଷା ପରେ ଘାତକ ନିପା ଭାଇରସ ସଂକ୍ରମଣ ଚିହ୍ନଟ ହୋଇଛି।ବର୍ତ୍ତମାନ ସେହି ଦୁଇଜଣ ନର୍ସଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ କୋମାକୁ ଚାଲିଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଭେଣ୍ଟିଲେଟର ସହାୟତାରେ ଚିକିତ୍ସା କରାଯାଉଛି।
ଏହା ପରେ ସେମାନଙ୍କ ବାସସ୍ଥାନ ନଦିଆ ଓ ବର୍ଦ୍ଧମାନ ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଥିବା କର୍ତ୍ତୃପକ୍ଷମାନେ ସୂଚନା ଦେଇଛନ୍ତି। ଏଥିସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି। ଏହି ପରିସ୍ଥିତିକୁ ନେଇ ଓଡ଼ିଶା ସରକାର ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଯଦିଓ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ନିପା ଭାଇରସ ମାମଲା ଚିହ୍ନଟ ହୋଇନାହିଁ, ତଥାପି ହସ୍ପିଟାଲ, ରେଲୱେ ଷ୍ଟେସନ, ବସ ଟର୍ମିନାଲ ଓ ଅନ୍ୟାନ୍ୟ ପରିବହନ କେନ୍ଦ୍ରଗୁଡ଼ିକରେ ନଜର ରଖାଯାଇଛି। ସନ୍ଦେହଜନକ ମାମଲା ଚିହ୍ନଟ ହେଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ନିପା ଭାଇରସ ଏକ ଜୁନୋଟିକ୍ ରୋଗ, ଯାହା ବାଦୁଡ଼ି ଓ ଘୁଷୁରୀ ଭଳି ପ୍ରାଣୀଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହୋଇପାରେ। ଏହା ଦୂଷିତ ଖାଦ୍ୟ, ଲାଳ, ମୂତ୍ର, ରକ୍ତ କିମ୍ବା ମଳ ମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥାଏ। ଏହି ରୋଗର ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଡାଇରିଆ, ବାନ୍ତି, ମାଂସପେଶୀ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ରହିଛି। ରୋଗ ଗୁରୁତର ହେଲେ ମଣିଷ କୋମାକୁ ଯାଇପାରେ କିମ୍ବା ମୃତ୍ୟୁ ମଧ୍ୟ ଘଟିପାରେ।
ଏଥିରୁ ରକ୍ଷା ପାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାଧାରଣ ଲୋକଙ୍କୁ ନିୟମିତ ହାତ ଧୋଇବା, କଟା ବା ଖୋଲା ଫଳ ଖାଇବାରୁ ଏଡ଼ାଇବା ଏବଂ ବାଦୁଡ଼ି ଓ ଘୁଷୁରୀ ଭଳି ପ୍ରାଣୀଙ୍କ ସହ ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆପାତକାଳୀନ ପଦକ୍ଷେପ ଘୋଷଣା କରାଯାଇନଥିଲେ ମଧ୍ୟ, ସମସ୍ତ ହସ୍ପିଟାଲକୁ ସତର୍କ ରହିବା ଏବଂ ସନ୍ଦେହଜନକ ମାମଲା ଉପରେ କଡା ନଜର ରଖିବାକୁ କୁହାଯାଇଥିବା ସୂଚନା ମିଳିଛି।

