Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟକଳାପ ଏବେ ଓଡ଼ିଆ ଭାଷାରେ ସମ୍ପାଦନ କରାଯିବ। ବ୍ଲକ ସ୍ତରରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ କାମକାଜ ଓଡ଼ିଆ ଭାଷାରେ କରିବାକୁ ରାଜ୍ୟ ସରକାର ସପ୍ଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ପଠାଯାଇଛି।

ସୂଚନା ଅନୁଯାୟୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି, ଯାହାର ଉଦ୍ଦେଶ୍ୟ ହେଲା ଓଡ଼ିଆ ଭାଷାକୁ ପ୍ରଶାସନିକ କ୍ଷେତ୍ରରେ ଅଧିକ ସୁଦୃଢ଼ କରିବା। ଏହି ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରକାରର ନୋଟିସ୍, ବିଜ୍ଞପ୍ତି, ଆଦେଶ, ପତ୍ର ବିନିମୟ ଓ ଦୈନନ୍ଦିନ ସରକାରୀ ପତ୍ରାଚାର କେବଳ ଓଡ଼ିଆ ଭାଷାରେ ହେବ।ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସହିତ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ନିଗମ, ପୌରସଂସ୍ଥା, ସ୍ବୟଂଚାଳିତ ସଂସ୍ଥା ଓ ଅନ୍ୟାନ୍ୟ ଅନୁଷ୍ଠାନମାନେ ମଧ୍ୟ ଏହି ନିର୍ଦ୍ଦେଶକୁ କଡାକଡି ପାଳନ କରିବେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ସମସ୍ତ ଅଧସ୍ତନ କାର୍ଯ୍ୟାଳୟ ମଧ୍ୟ ଓଡ଼ିଆ ଭାଷାରେ କାର୍ଯ୍ୟ ସମ୍ପାଦନ କରିବାକୁ ବାଧ୍ୟ ରହିବେ।

ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶର ଅନୁସରଣ ନ କରୁଥିବା କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ନିର୍ଦ୍ଦେଶ ଖିଲାପ କରିଲେ ପ୍ରଥମେ ତାଗିଦ୍ ଦିଆଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ସରକାର ସତର୍କ କରିଛନ୍ତି।ଏହି ନିଷ୍ପତ୍ତିକୁ ଓଡ଼ିଆ ଭାଷା ପ୍ରେମୀ, ସାହିତ୍ୟିକ ଓ ସାମାଜିକ ସଂଗଠନମାନେ ସ୍ୱାଗତ କରିଥିବା ବେଳେ, ଏହା ଦ୍ୱାରା ସାଧାରଣ ଲୋକମାନେ ସରକାରୀ କାମକାଜକୁ ଆହୁରି ସହଜରେ ବୁଝିପାରିବେ ବୋଲି ଆଶା ପ୍ରକାଶ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଓଡ଼ିଆ ଭାଷାର ସମ୍ମାନ ଓ ସ୍ୱାଭିମାନକୁ ଆହୁରି ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *