ନ୍ୟୁଜ ଡେକ୍ସ : ଫେବ୍ରୁଆରୀ ୨୦୨୭ରେ ରାଜ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଓଡ଼ିଶାରେ ଭୋଟର ତାଲିକାର ‘ସ୍ବତନ୍ତ୍ର ସଘନ ସଂଶୋଧନ’ (SIR) ପ୍ରକ୍ରିୟାକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ନିର୍ବାଚନ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସମସ୍ତ ପ୍ରଶାସନିକ ଓ ପ୍ରାୟୋଗିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି।
ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର କହିଛନ୍ତି ଯେ, ଗତ ପ୍ରାୟ ପାଞ୍ଚ ମାସ ଧରି ଚାଲିଥିବା ପ୍ରସ୍ତୁତି ଏବେ ସଫଳତାର ସହ ଶେଷ ହୋଇଛି ଏବଂ ରାଜ୍ୟ SIR ପ୍ରକ୍ରିୟା ପାଇଁ ପୂରାପୂରି ପ୍ରସ୍ତୁତ। ଏହା ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସ୍ପଷ୍ଟ, ସଠିକ୍ ଓ ଅପଡେଟ୍ କରାଯିବ।SIRକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟରେ ମତଦାନ କେନ୍ଦ୍ର (ବୁଥ୍) ସଂଖ୍ୟାରେ ବୃଦ୍ଧି କରାଯାଇଛି। ପୂର୍ବରୁ ରାଜ୍ୟରେ ପ୍ରାୟ ୩୬ ହଜାର ବୁଥ୍ ଥିବାବେଳେ, ଏବେ ଆହୁରି ୭ ହଜାର ବୁଥ୍ ବଢ଼ାଇ ମୋଟ ୪୩ ହଜାର କରାଯାଇଛି। ପ୍ରତ୍ୟେକ ବୁଥ୍ରେ ସର୍ବାଧିକ ୧୨୦୦ ଭୋଟର ରହିବେ ବୋଲି ନିୟମ ରଖାଯାଇଛି, ଯାହା ଦ୍ୱାରା ମତଦାନ ପ୍ରକ୍ରିୟା ସୁବିଧାଜନକ ହେବ। ସମସ୍ତ ବୁଥ୍ରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ନିଯୁକ୍ତ କରାଯାଇଛି।
ସେମାନେ ଘରେ ଘରେ ସର୍ଭେ କରି ଭୋଟରଙ୍କ ସଠିକ୍ ତଥ୍ୟ ସଂଗ୍ରହ କରିବେ। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ଶେଷଥର ୨୦୦୨ ମସିହାରେ SIR କରାଯାଇଥିଲା। ସେତେବେଳେ ଯେଉଁ ଭୋଟରଙ୍କ ନାମ ତାଲିକାରେ ଥିଲା ଏବଂ ଯଦି ସେମାନଙ୍କ ନାମ ୨୦୨୫ର ଭୋଟର ତାଲିକାରେ ମଧ୍ୟ ରହିଛି, ତେବେ ସେମାନଙ୍କ ପାଇଁ ପୁନଃ ସଂଶୋଧନର ଆବଶ୍ୟକତା ରହିବ ନାହିଁ।ଏହି ପ୍ରକ୍ରିୟାରେ ମୂଳତଃ ୨୦୦୨ ପରେ ଯୋଗ୍ୟ ହୋଇଥିବା ନୂଆ ଭୋଟର, ସେମାନଙ୍କ ପୁଅ-ଝିଅ ଏବଂ ପୂର୍ବ ତାଲିକାରେ ନାମ ନଥିବା ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯୋଡ଼ାଯିବ। ଏଥିପାଇଁ ୨୦୦୨ ଓ ୨୦୨୫ ମସିହାର ଭୋଟର ତାଲିକାକୁ ଇଣ୍ଟିଗ୍ରେଟ୍ କରାଯାଇଛି ଏବଂ ପ୍ରାୟ ୭୦ ପ୍ରତିଶତ ମ୍ୟାପିଂ କାମ ସରିଛି।
ଯେଉଁ ଭୋଟରଙ୍କ ନାମ ମ୍ୟାପିଂ ସମୟରେ ମିଳିବ ନାହିଁ, ସେମାନଙ୍କୁ ଅନ୍ୟ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରି ତାଲିକାରେ ନାମ ସଂଯୋଜନ କରିବାକୁ ପଡ଼ିବ। ଯଦିଓ SIR କେବେ ଆରମ୍ଭ ହେବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତାରିଖ ଘୋଷଣା ହୋଇନି, ତଥାପି ଏପ୍ରିଲ-ମେ ମାସରେ ହେବାକୁ ଥିବା ଜନଗଣନାର ପ୍ରଥମ ପର୍ଯ୍ୟାୟକୁ ଧ୍ୟାନରେ ରଖି ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ SIR କରାଯିବା ନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି।ରାଜ୍ୟ ନିର୍ବାଚନ ବିଭାଗର ଏହି ପଦକ୍ଷେପ ଦ୍ୱାରା ଆଗାମୀ ପଞ୍ଚାୟତ ନିର୍ବାଚନରେ ସ୍ପଷ୍ଟ, ନିର୍ବିଘ୍ନ ଓ ସୁଚାରୁ ମତଦାନ ପ୍ରକ୍ରିୟା ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି।

