ନ୍ୟୁଜ ଡେକ୍ସ : ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ (MoES) ଅଧୀନସ୍ଥ ସ୍ୱୟଂଶାସିତ ସଂସ୍ଥା ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ର (INCOIS)ର ବାର୍ଷିକ ସମୀକ୍ଷା ସଭା (୨୦୨୫–୨୬) ୧୨ ଓ ୧୩ ଜାନୁଆରୀରେ ଭୁବନେଶ୍ୱରସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ସଫଳତାର ସହ ଆୟୋଜିତ ହୋଇଛି। ଏହି ଦୁଇଦିନିଆ ସଭାରେ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା INCOIS ପ୍ରାୟୋଜିତ ଗବେଷଣା ପ୍ରକଳ୍ପମାନଙ୍କର ପ୍ରଗତି ସମୀକ୍ଷା କରାଯାଇଥିଲା।
ସଭାରେ ଦେଶର ବିଭିନ୍ନ ଅଞ୍ଚଳରୁ ୨୬ ଜଣ ପ୍ରଧାନ ଗବେଷକ, ତାଙ୍କ ଗବେଷଣା ଶିଷ୍ୟ, INCOISର ୧୦ ଜଣ ବରିଷ୍ଠ ବୈଜ୍ଞାନିକ ଏବଂ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସମୁଦ୍ର ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ଭବିଷ୍ୟତ ଗବେଷଣା ଦିଗଦର୍ଶନ ଓ ଆନ୍ତର୍ଜାତୀୟ–ଆନ୍ତର୍ସଂସ୍ଥାଗତ ସହଯୋଗ ସମ୍ଭାବନା ଉପରେ ଗଭୀର ଆଲୋଚନା ହୋଇଥିଲା। ଏହି ଅବସରରେ ୧୨ ଜାନୁଆରୀରେ INCOIS ନିର୍ଦ୍ଦେଶକ ଡ଼ା. ଟି.ଏମ. ବାଳକୃଷ୍ଣନ ନାୟର ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ (CUTM), ଭୁବନେଶ୍ୱରରେ ପରିବେଶ ମୂଲ୍ୟାୟନ ଓ ଗବେଷଣା ଲ୍ୟାବରେଟରି (EARL)ର ଉଦ୍ଘାଟନ କରିଥିଲେ। INCOIS ପ୍ରାୟୋଜିତ ଉପ-ପ୍ରକଳ୍ପର ସହଯୋଗରେ ସ୍ଥାପିତ ଏହି ଆଧୁନିକ ଲ୍ୟାବରେଟରିରେ ସମୁଦ୍ର ଜୈବ-ରାସାୟନିକ, ଅପ୍ଟିକାଲ୍ ଏବଂ ପରିବେଶୀୟ ପ୍ୟାରାମିଟର ବିଶ୍ଳେଷଣ ପାଇଁ ଉନ୍ନତ ସୁବିଧା ଉପଲବ୍ଧ ରହିଛି।ନୂତନ EARL ଲ୍ୟାବରେଟରି ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଉପକୂଳୀୟ ସୁରକ୍ଷା (Coastal Resilience) ଓ ସମୁଦ୍ରୀୟ ପରିବେଶ ସ୍ୱାସ୍ଥ୍ୟ ଉପରେ ଅନ୍ତର-ଶାସ୍ତ୍ରୀୟ ଗବେଷଣାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ କାର୍ଯ୍ୟ କରିବ।
ଏହାସହ ଶିଳ୍ପ କାରଖାନା ଅପଜଳ ଓ ପୃଷ୍ଠ ଜଳ ବିଶ୍ଳେଷଣ କ୍ଷେତ୍ରରେ ମଧ୍ୟ ଏହି ଲ୍ୟାବରେଟରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।ଉଦ୍ଘାଟନୀ ସଭାରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଉପକୁଳପତି ପ୍ରୋଫେସର ସୁପ୍ରିୟା ପଟ୍ଟନାୟକ ଓ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଆନ୍ଧ୍ର ପ୍ରଦେଶର ଚାନ୍ସେଲର୍ ପ୍ରୋଫେସର (ଡ଼ା.) ଜି.ଏସ୍.ଏନ. ରାଜୁ ଉପସ୍ଥିତ ରହି INCOISର ସହଯୋଗ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଡ଼ା. କମଳ କୁମାର ବାରିକ (ପ୍ରଧାନ ଗବେଷକ), ଡ଼ା. ପ୍ରତାପ ଛୋଟରାୟ (ସହ-ପ୍ରଧାନ ଗବେଷକ), INCOISର ବରିଷ୍ଠ ବୈଜ୍ଞାନିକ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଗବେଷଣା ଶିଷ୍ୟ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଏହି ସଭା ସମାପ୍ତ ହୋଇଥିଲା। INCOIS ଓ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ସହଯୋଗକୁ ଭାରତର ସମୁଦ୍ର ବିଜ୍ଞାନ ଓ ପରିବେଶୀୟ ସସ୍ଥାୟୀତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ସ୍ଟୋନ୍ ଭାବେ ଦେଖାଯାଉଛି।

