Sun. Feb 22nd, 2026

ନ୍ୟୁଜ ଡେକ୍ସ : ଜାତୀୟ ତଦନ୍ତ ସଂସ୍ଥା (NIA)ର ନୂଆ ମହାନିର୍ଦ୍ଦେଶକ ଭାବେ ବରିଷ୍ଠ IPS ଅଧିକାରୀ ରାକେଶ ଅଗ୍ରୱାଲଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ହିମାଚଳ ପ୍ରଦେଶ କ୍ୟାଡରର ୧୯୯୪ ବ୍ୟାଚ୍ IPS ଅଫିସର ଅଗ୍ରୱାଲ ପୂର୍ବରୁ NIAର କାର୍ଯ୍ୟକାରୀ ଓ ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ପାଳନ କରୁଥିଲେ।

କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରି ରାକେଶ ଅଗ୍ରୱାଲଙ୍କୁ NIA ମୁଖ୍ୟ ଭାବେ ଆଧିକାରିକ ନିଯୁକ୍ତି ଦିଆଯାଇଛି। ତାଙ୍କ ନିଯୁକ୍ତି କାର୍ଯ୍ୟଭାର ଗ୍ରହଣ ତାରିଖରୁ ଅଗଷ୍ଟ ୩୧, ୨୦୨୮ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ।ତିନି ଦଶନ୍ଧିରୁ ଅଧିକ ସେବା ଅନୁଭବ ଥିବା IPS ରାକେଶ ଅଗ୍ରୱାଲ ତାଙ୍କ କାର୍ଯ୍ୟଜୀବନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି।

ଆତଙ୍କବାଦ ବିରୋଧୀ ତଦନ୍ତ, ଜାତୀୟ ସୁରକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦକ୍ଷତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ NIA ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ନେତୃତ୍ୱ ଦାୟିତ୍ୱ ସମର୍ପଣ କରିଛନ୍ତି। ସୂତ୍ର ଅନୁଯାୟୀ, ରାକେଶ ଅଗ୍ରୱାଲଙ୍କ ନେତୃତ୍ୱରେ NIA ଆତଙ୍କବାଦ ଓ ଦେଶବିରୋଧୀ କାର୍ଯ୍ୟକଳାପ ବିରୋଧରେ ଆହୁରି ସଶକ୍ତ ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *