Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦୀର୍ଘ ସମୟ ଧରି ଦୁଇଜଣ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ରହିଥିବା ସମ୍ମତିମୂଳକ ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ ବୋଲି ଧରାଯାଇପାରିବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ମାମଲାରେ ବଳାତ୍କାର ଅଭିଯୋଗରେ ଦଣ୍ଡିତ ହୋଇଥିବା ମହେନ୍ଦ୍ର ପ୍ରଧାନଙ୍କୁ ଦୋଷମୁକ୍ତ କରାଯାଇଛି।

ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ମାମଲାର ସମସ୍ତ ପ୍ରମାଣ ଓ ପରିସ୍ଥିତିକୁ ଆଲୋଚନା କରି କହିଛନ୍ତି ଯେ, ପୀଡ଼ିତା ଦୁଇ ବର୍ଷରୁ ଅଧିକ ସମୟ ଧରି ଅଭିଯୁକ୍ତଙ୍କ ସହ ଶାରୀରିକ ସମ୍ପର୍କରେ ଥିଲେ ଏବଂ ଏହି ସମୟ ମଧ୍ୟରେ ସେ କାହାର ସହ କୌଣସି ଅଭିଯୋଗ କରିନଥିଲେ। ଏପରି ଦୀର୍ଘକାଳୀନ ସମ୍ପର୍କକୁ ବଳପୂର୍ବକ ସମ୍ପର୍କ ବୋଲି ଆଇନ ଦୃଷ୍ଟିରେ ଧରାଯାଇପାରିବ ନାହିଁ।ମାମଲାର ପୃଷ୍ଠଭୂମି ଅନୁଯାୟୀ, ୨୦୦୬ ମସିହାରେ ସୋନପୁର ଜିଲ୍ଲା ତରଭା ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତ ପ୍ରଥମେ ଛୁରି ଦେଖାଇ ତାଙ୍କୁ ବଳାତ୍କାର କରିଥିଲେ ଏବଂ ପରେ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ସମ୍ପର୍କ ରଖିଥିଲେ।

ପରେ ସେ ଗର୍ଭବତୀ ହେବା ପରେ ଅଭିଯୁକ୍ତ ଗର୍ଭପାତ ପାଇଁ ଔଷଧ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହି ମାମଲାରେ ନିମ୍ନ ଅଦାଲତ ମହେନ୍ଦ୍ର ପ୍ରଧାନଙ୍କୁ ବଳାତ୍କାର ଦୋଷରେ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟ ଶୁଣାଣି ସମୟରେ ସ୍କୁଲ ରେକର୍ଡ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ସ୍ପଷ୍ଟ କରିଛନ୍ତି ଯେ, ଘଟଣା ସମୟରେ ପୀଡ଼ିତା ନାବାଳିକା ନଥିଲେ ଏବଂ ତାଙ୍କ ବୟସ ପ୍ରାୟ ୧୯ ବର୍ଷ ଥିଲା।

ତଥାପି, ଡାକ୍ତରୀ ପ୍ରମାଣ ଅନୁସାରେ ଗର୍ଭପାତ ଘଟଣା ସତ୍ୟ ବୋଲି ଅଦାଲତ ମାନିଛନ୍ତି ଏବଂ ଔଷଧ ଦେଇଥିବା ପ୍ରସଙ୍ଗ ମଧ୍ୟ ପ୍ରମାଣିତ ହୋଇଛି। କିନ୍ତୁ ବଳାତ୍କାର ଅଭିଯୋଗକୁ ଅଦାଲତ ଖାରଜ କରି ମହେନ୍ଦ୍ର ପ୍ରଧାନଙ୍କୁ ସେହି ମାମଲାରୁ ଖଲାସ କରିଛନ୍ତି।ଏହି ରାୟ ଆଗାମୀ ଦିନରେ ସମ୍ମତି, ପ୍ରତିଶ୍ରୁତି ଓ ଶାରୀରିକ ସମ୍ପର୍କ ସମ୍ବନ୍ଧୀୟ ମାମଲାଗୁଡ଼ିକରେ ଆଇନଗତ ଆଲୋଚନାକୁ ନୂଆ ଦିଗ ଦେବ ବୋଲି ଆଇନଜୀବୀମାନେ ମତ ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *