ନ୍ୟୁଜ ଡେକ୍ସ : ଲୋକପ୍ରିୟ ମୃଦୁ ପାନୀୟ ‘ମାଉଣ୍ଟେନ ଡିଉ’ର ବିଜ୍ଞାପନକୁ ନେଇ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଖାଉଟି ଅଦାଲତରେ ଏକ ଚର୍ଚ୍ଚିତ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଫିଲ୍ମ ଅଭିନେତା ସଲମାନ ଖାନ, ହ୍ରିତିକ ରୋଶନ, ମୃଦୁପାନୀୟ କମ୍ପାନି ପେପ୍ସିକୋ ଓ ବିଜ୍ଞାପନ କାଉନସିଲକୁ ପ୍ରତିବାଦୀ କରାଯାଇଛି।
ଖରିଆର ଅଞ୍ଚଳର ଦୀପକ ଦୁବେ ଏହି ଅଭିଯୋଗ ରୁଜୁ କରିଥିବା ବେଳେ ସେ ଦାବି କରିଛନ୍ତି ଯେ, ମାଉଣ୍ଟେନ ଡିଉର ବିଜ୍ଞାପନ ଶିଶୁମାନଙ୍କୁ ଭ୍ରାନ୍ତ ଧାରଣା ଦେଉଛି। ବିଜ୍ଞାପନରେ ଦେଖାଯାଉଥିବା ‘ଏହା ପିଲେ ଶକ୍ତି ବଢ଼େ ଓ ବିଜୟ ସୁନିଶ୍ଚିତ’ ଭଳି ଦାବିରୁ ପ୍ରଭାବିତ ହୋଇ ତାଙ୍କ ପୁଅ ଏହି କୋଲ୍ଡ୍ରିଙ୍କ କିଣିବାକୁ ଜୋର କରିଥିଲା। କିନ୍ତୁ ପାନ କରିବା ପରେ ମଧ୍ୟ ଶାରୀରିକ କ୍ଷମତାରେ କୌଣସି ବୃଦ୍ଧି ନ ହେବାରୁ ବିଜ୍ଞାପନକୁ ଭ୍ରାନ୍ତିକର ବୋଲି ସେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ସଲମାନ ଖାନ ଓ ହ୍ରିତିକ ରୋଶନ ଭଳି ଖ୍ୟାତନାମା ଅଭିନେତାଙ୍କ ଉପସ୍ଥିତି ଯୋଗୁଁ ଏହି ବିଜ୍ଞାପନର ପ୍ରଭାବ ଶିଶୁ ଓ କିଶୋରମାନଙ୍କ ଉପରେ ଅଧିକ ପଡୁଛି।
ଏହା ସାମାଜିକ ଭାବେ ଅସୁସ୍ଥ ପ୍ରଭାବ ପକାଉଛି ବୋଲି ସେ ଅଦାଲତରେ ଦାବି ରଖିଛନ୍ତି।ଗତ ୨୨ ତାରିଖରେ ମାମଲାର ପ୍ରଥମ ଶୁଣାଣି ହୋଇଥିବା ବେଳେ, ଆସନ୍ତା ଜାନୁଆରୀ ୧୯ ତାରିଖରେ ଦ୍ୱିତୀୟ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଅଭିଯୋଗକାରୀ କ୍ଷତିପୂରଣ ବାବଦରେ ପ୍ରତୀକାତ୍ମକ ଭାବେ ମାତ୍ର ଏକ ଟଙ୍କା ଦାବି କରିଛନ୍ତି।ମାମଲାରେ ବିଜ୍ଞାପନ କାଉନସିଲ ପକ୍ଷରୁ ଓକିଲ ଅମିତ ଜୈନ, ସଲମାନ ଖାନଙ୍କ ପକ୍ଷରୁ ଅନୀଷ ପଟ୍ଟନାୟକ ଏବଂ ହ୍ରିତିକ ରୋଶନ ସହ ପେପ୍ସିକୋ ପକ୍ଷରୁ କୁନାଲ ବେହେରା ଆଣ୍ଡ ଆସୋସିଏଟ୍ସ ମାମଲା ପରିଚାଳନା କରୁଛନ୍ତି।ଏହି ମାମଲା ଆଗାମୀ ଦିନରେ ବିଜ୍ଞାପନର ସାମାଜିକ ଦାୟିତ୍ୱକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

