Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ପୁଣି ହାଡ଼ଭଙ୍ଗା ଶୀତର ପ୍ରଭାବ ଦେଖାଦେଇଛି। ପ୍ରବଳ ଥଣ୍ଡାରେ ସାଧାରଣ ଜନଜୀବନ ପୂରାପୁରି ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳୁ ସକାଳୁ ଓ ରାତିରେ ଥଣ୍ଡା ପବନ ସହ କୁହୁଡ଼ି ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଆହୁରି ୨ ଦିନ ଏଭଳି ପ୍ରବଳ ଥଣ୍ଡା ଲାଗି ରହିବ, ତାପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଝାରସୁଗୁଡ଼ାରେ ପାରଦ ୬ ଡିଗ୍ରୀ ଛୁଇଁଥିବା ବେଳେ ଆଜି ସକାଳ ୫ଟା ୩୦ ମିନିଟରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏହା ସହ ରାଜ୍ୟର ଅନେକ ଅଞ୍ଚଳରେ ଥଣ୍ଡାର ପ୍ରଭାବ ଚରମ ସୀମାରେ ପହଞ୍ଚିଛି। ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ସେହିପରି ଆସନ୍ତା ୫ ଦିନ, ଅର୍ଥାତ୍ ୨୦ ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କଟକ, ବାଲେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର ଓ କନ୍ଧମାଳ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଥିବା ବେଳେ ଜି. ଉଦୟଗିରିରେ ସବୁଠାରୁ କମ୍ ୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏହାସହ ରାଉରକେଲାରେ ୬.୬ ଡିଗ୍ରୀ, ଫୁଲବାଣୀ ୭.୩ ଡିଗ୍ରୀ, ସେମିଳିଗୁଡ଼ା ୭.୮ ଡିଗ୍ରୀ, ଅନୁଗୋଳ ଓ ଢେଙ୍କାନାଳରେ ୮.୬ ଡିଗ୍ରୀ, କିରେଇରେ ୯.୩ ଡିଗ୍ରୀ ଓ କେନ୍ଦୁଝରରେ ୯.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।ପ୍ରବଳ ଥଣ୍ଡା ଯୋଗୁଁ ବୃଦ୍ଧ, ଶିଶୁ ଓ ରୋଗୀମାନେ ବେଶି ପ୍ରଭାବିତ ହେଉଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ଆବଶ୍ୟକ ନଥିଲେ ସକାଳ ଓ ରାତିରେ ଘରୁ ବାହାରିବାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *