Sun. Feb 22nd, 2026

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯାଇ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିବେ। ପଶ୍ଚିମବଙ୍ଗର ମାଲଦାରେ ସେ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଉଦଘାଟନ କରିବେ। ଏହି ଆଧୁନିକ ଟ୍ରେନ ହାଓଡ଼ା ଓ ଗୌହାଟି ମଧ୍ୟରେ ଚାଲିବ ଏବଂ ଦୀର୍ଘଦୂର ରେଳ ଯାତ୍ରାକୁ ଅଧିକ ସୁବିଧାଜନକ, ସୁରକ୍ଷିତ ଓ ଦ୍ରୁତ କରିବ ବୋଲି ରେଳ ବିଭାଗ ଆଶା ପ୍ରକାଶ କରିଛି।

ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି, କାରଣ ଏହି ବର୍ଷ ଶେଷରେ ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଢାଞ୍ଚାଗତ ବିକାଶ ସହିତ ସଂସ୍କୃତିକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ଦଳୀୟ ରଣନୀତିର ଅଂଶ ଭାବେ ମଧ୍ୟ ଦେଖାଯାଉଛି। ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଗୌହାଟିର ସରୁସାଜାଇ ଷ୍ଟାଡିୟମରେ ଆୟୋଜିତ ପାରମ୍ପରିକ ବୋଡୋ ସାଂସ୍କୃତିକ କାର୍ଯ୍ୟକ୍ରମ ‘ବାଗୁରୁମ୍ବା ଦ୍ୱୋ ୨୦୨୬’ରେ ଅଂଶଗ୍ରହଣ କରିବେ। ଏହି ଐତିହାସିକ କାର୍ଯ୍ୟକ୍ରମରେ ବୋଡୋ ସମ୍ପ୍ରଦାୟର ୧୦ ହଜାରରୁ ଅଧିକ କଳାକାର ଏକାଠି ହୋଇ ବାଗୁରୁମ୍ବା ଲୋକନୃତ୍ୟ ପ୍ରଦର୍ଶନ କରିବେ। ରାଜ୍ୟର ୨୩ଟି ଜିଲ୍ଲାର ୮୧ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ କଳାକାରମାନେ ଏଥିରେ ସାମିଲ ହେବେ।

ବାଗୁରୁମ୍ବା ନୃତ୍ୟ ପ୍ରକୃତିରୁ ପ୍ରେରିତ ବୋଡୋ ସମ୍ପ୍ରଦାୟର ଏକ ପ୍ରମୁଖ ଲୋକନୃତ୍ୟ, ଯାହା ପ୍ରସ୍ଫୁଟିତ ଫୁଲ, ମାନବ ଜୀବନ ଓ ପ୍ରାକୃତିକ ଜଗତ ମଧ୍ୟରେ ସମନ୍ୱୟର ପ୍ରତୀକ ଭାବେ ପରିଚିତ।ଆସନ୍ତା ଜାନୁଆରୀ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ୬,୯୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମି ପୂଜନ କରିବେ। ସେହିସହିତ ନାଗାଓଁ ଜିଲ୍ଲାର କାଳିଆବୋରରେ ଦୁଇଟି ନୂତନ ‘ଅମୃତ ଭାରତ ଏକ୍ସପ୍ରେସ୍’ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ସମସ୍ତ ପ୍ରକଳ୍ପ ମାଧ୍ୟମରେ ଉତ୍ତର-ପୂର୍ବ ଭାରତର ସଂଯୋଗ, ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶକୁ ଆହୁରି ଗତି ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *