Sun. Feb 22nd, 2026

ନ୍ୟୁଜ ଡେକ୍ସ : ପାକିସ୍ତାନ ସୀମା ସଂଲଗ୍ନ ପଞ୍ଜାବର ପଠାନକୋଟ ଜିଲ୍ଲାରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପୋଲିସ ପୂର୍ବରୁ ପଣ୍ଡ କରିଛି। ସୀମା ନିକଟବର୍ତ୍ତୀ ଏକ କ୍ଷେତରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ବେଳେ, ଏହା ପଛରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଏବଂ ଆତଙ୍କବାଦୀ ସଂଗଠନ ବବର ଖାଲସାର ଭୂମିକା ଥିବା ପୋଲିସ ଦାବି କରିଛି।

ପଞ୍ଜାବ ପୋଲିସ ସୂଚନା ଅନୁଯାୟୀ, ବବର ଖାଲସା ସହ ଜଡ଼ିତ ଆତଙ୍କବାଦୀ ହରବିନ୍ଦର ସିଂହ ଓରଫ ରିନ୍ଦା, ISI ର ନିର୍ଦ୍ଦେଶରେ ପଞ୍ଜାବରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଅସ୍ତ୍ରଶସ୍ତ୍ର ପଠାଇଥିଲା। ଉଦ୍ଧାର ହୋଇଥିବା ଅସ୍ତ୍ରମାନଙ୍କ ମଧ୍ୟରେ ୩ଟି AK-47 ରାଇଫଲ, ୫ଟି ମ୍ୟାଗାଜିନ୍, ତୁର୍କୀ ଓ ଚୀନ୍ ନିର୍ମିତ ୨ଟି ପିସ୍ତଲ, ୨ଟି ମ୍ୟାଗାଜିନ୍ ସହ ୯୮ଟି କାର୍ଟ୍ରିଜ୍ ରହିଛି। ଏହି ଅସ୍ତ୍ରଗୁଡ଼ିକୁ ସୀମା ନିକଟରେ ଗୁପ୍ତଭାବେ ଲୁଚାଇ ରଖାଯାଇଥିଲା।ଡିଆଇଜି ବର୍ଡର ରେଞ୍ଜ ସନ୍ଦୀପ ଗୋୟଲ ଏନେଇ ସୂଚନା ଦେଇ କହିଛନ୍ତି ଯେ ଶନିବାର ନରୋଟ ଜୟମଲ ସିଂହ ପୋଲିସ ଷ୍ଟେସନକୁ ଗୁପ୍ତ ସୂଚନା ମିଳିଥିଲା ଯେ ସୀମାପାରରୁ ଅସ୍ତ୍ରଶସ୍ତ୍ରର ଏକ ଚାଲାଣ ହୋଇଛି। ତୁରନ୍ତ ସିଆଇଏ ଇନଚାର୍ଜ ସହ ଏକ ବିଶେଷ ପୋଲିସ ଦଳ ଗଠନ କରାଯାଇ ବାମିୟାଲ ଚୌକ ନିକଟ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ସୂଚନା ସଠିକ୍ ପ୍ରମାଣିତ ହେବା ପରେ, ପୋଲିସ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଜବତ କରିବାରେ ସଫଳ ହୋଇଥିଲା। ଡିଆଇଜି ଗୋୟଲ କହିଛନ୍ତି ଯେ ଏହି ଅସ୍ତ୍ରଗୁଡ଼ିକ କାହା ପାଇଁ ଏବଂ କେଉଁ ଆକ୍ରମଣ ଉଦ୍ଦେଶ୍ୟରେ ପଠାଯାଇଥିଲା, ସେଥିପାଇଁ ଗଭୀର ତଦନ୍ତ ଚାଲିଛି। ପଞ୍ଜାବ ସହ ଅନ୍ୟାନ୍ୟ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା ହୋଇଥିଲା କି ନାହିଁ, ସେଥିରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି।ଏହି ଘଟଣା ସନ୍ଦର୍ଭରେ ହରବିନ୍ଦର ସିଂହ ଓରଫ ରିନ୍ଦା ସହ ଅନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏହାସହ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଗ୍ରାମବାସୀମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।ପୋଲିସ କହିଛି ଯେ ଏହି ପ୍ରାରମ୍ଭିକ ସଫଳତା ପରେ ମଧ୍ୟ ଅପରେସନ୍ ଜାରି ରହିବ ଏବଂ ଦେଶର ସୁରକ୍ଷାକୁ ବିପଦରେ ପକାଇପାରୁଥିବା ଯେକୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ଆଗୁଆ ଅବସ୍ଥାରେ ଧ୍ୱଂସ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ରହିଛନ୍ତି।

Leave a Reply

Your email address will not be published. Required fields are marked *