ନ୍ୟୁଜ ଡେକ୍ସ : ସ୍ପେନରେ ଘଟିଥିବା ଏକ ଭୟଙ୍କର ରେଳ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଦକ୍ଷିଣ ସ୍ପେନର କୋର୍ଡୋବା ନିକଟସ୍ଥ ଆଡାମୁଜ୍ ଅଞ୍ଚଳରେ ଗୋଟିଏ ଦ୍ରୁତଗତି ଟ୍ରେନ୍ ଲାଇନଚ୍ୟୁତ ହୋଇ ପାଖରେ ଥିବା ଅନ୍ୟ ଟ୍ରାକ୍ରେ ପଡ଼ିଯାଇଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍ ଏଥିରେ ଜୋରଦାର ଧକ୍କା ଦେଇଥିଲା।ଦୁର୍ଘଟଣାରେ ଅତି କମରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।
ଆହତମାନଙ୍କ ମଧ୍ୟରୁ ୩୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ସୂଚନା ଅନୁଯାୟୀ, ମାଲାଗାରୁ ମାଡ୍ରିଡ୍ ଯାଉଥିବା ଦ୍ରୁତଗତି ଟ୍ରେନ୍ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୪୦ ମିନିଟ୍ରେ ଛାଡ଼ିଥିଲା। ଯାତ୍ରା ଆରମ୍ଭ ହେବାର ପ୍ରାୟ ୧୦ ମିନିଟ୍ ପରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିଲା। ସେହି ସମୟରେ ମାଡ୍ରିଡ୍ରୁ ହୁଏଲଭା ଯାଉଥିବା ଦ୍ୱିତୀୟ ଟ୍ରେନ୍ ଲାଇନଚ୍ୟୁତ ଟ୍ରେନ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ମାଲାଗା-ମାଡ୍ରିଡ୍ ଟ୍ରେନ୍ରେ ପ୍ରାୟ ୩୦୦ ଯାତ୍ରୀ ଥିବା ଜଣାପଡ଼ିଛି।
ଟ୍ରେନ୍ଗୁଡ଼ିକର ବିକୃତ ଧ୍ୱଂସାବଶେଷ ମଧ୍ୟରେ ଅନେକ ଯାତ୍ରୀ ଫସି ରହିଥିବାରୁ ଉଦ୍ଧାରକାରୀ ଦଳକୁ ଭାରି କଷ୍ଟ ସହ ରାହାତ କାମ କରିବାକୁ ପଡ଼ୁଛି। ଏପର୍ଯ୍ୟନ୍ତ ଟ୍ରେନ୍ କାହିଁକି ଲାଇନଚ୍ୟୁତ ହେଲା, ତାହାର ସଠିକ୍ କାରଣ ଜଣାପଡ଼ିନାହିଁ। ଘଟଣାକୁ ନେଇ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଗଭୀର ଶୋକ ପ୍ରକାଶ କରି ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।

