ନ୍ୟୁଜ ଡେକ୍ସ : ରାଜ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ଜମି ଜନିତ ସମସ୍ୟାଗୁଡ଼ିକୁ ସରଳ ଓ ସ୍ଥାୟୀ ଭାବେ ସମାଧାନ କରିବା ଲକ୍ଷ୍ୟରେ ସରକାର ଏକ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଆଗାମୀ ବିଧାନସଭା ଅଧିବେଶନରେ ଏହି ଆଇନ ଆଣିବା ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି ବୋଲି ସୋମବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଅନେକ ପୁରୁଣା ଏବଂ ଅଲଗା-ଅଲଗା ଜମି ଓ ରାଜସ୍ୱ ସମ୍ପର୍କିତ ଆଇନ ଥିବାରୁ ଜନସାଧାରଣଙ୍କ ପାଇଁ ସେଗୁଡ଼ିକୁ ବୁଝିବା ସହ କାର୍ଯ୍ୟକାରୀ କରିବା ଜଟିଳ ହୋଇପଡ଼ିଛି। ଏହି ନୂତନ ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ସମସ୍ତ ବିଦ୍ୟମାନ ଜମି ଓ ରାଜସ୍ୱ ଆଇନକୁ ଗୋଟିଏ ସ୍ପଷ୍ଟ ଏବଂ ସରଳ ଆଇନଗତ ଢାଞ୍ଚା ଅଧୀନରେ ଆଣିବା। ଏଥିଦ୍ୱାରା ଆଇନଗତ ଦ୍ୱନ୍ଦ୍ୱ ଦୂର ହେବା ସହ ଜମି ବନ୍ଦୋବସ୍ତ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ଓ ସ୍ୱଚ୍ଛ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପୁରୀ ଜିଲ୍ଲାରେ ବ୍ରିଟିଶ ଶାସନ ସମୟରେ ହୋଇଥିବା ବ୍ୟବସ୍ଥା କାରଣରୁ ଜମି ସମସ୍ୟା ଅଧିକ ଜଟିଳ ହୋଇପଡ଼ିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଏହି ଐତିହାସିକ ଜଟିଳତାକୁ ଦୂର କରିବା ପାଇଁ ହିଁ ସରକାର ଏହି ନୂତନ ପଦକ୍ଷେପ ନେଇଛନ୍ତି। ପୁରୁଣା ବିବାଦର ସମାଧାନ ସହ ଭବିଷ୍ୟତରେ ଜବରଦଖଲକୁ ରୋକିବା ଉଦ୍ଦେଶ୍ୟରେ ପ୍ରଭୁ ଜଗନ୍ନାଥଙ୍କ ଜମି ଏବଂ ପୌର ନିୟନ୍ତ୍ରଣ ଅଧୀନରେ ଥିବା ଜମିଗୁଡ଼ିକର କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି।ଏହି ନୂତନ ଆଇନ ପ୍ରସ୍ତୁତି ପ୍ରକ୍ରିୟାରେ ସରକାର ବାର ଆସୋସିଏସନ, ରାଜସ୍ୱ ବିଭାଗ ଓ ଆଇନ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରିବେ ବୋଲି ମଧ୍ୟ ଜଣାପଡ଼ିଛି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଜମି ବ୍ୟବସ୍ଥା ଅଧିକ ଲୋକାଭିମୁଖୀ ଓ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

