ନ୍ୟୁଜ ଡେକ୍ସ : ରାଜ୍ୟରେ ଧୀରେ ଧୀରେ ଋତୁ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ମିଳିବାରେ ଲାଗିଛି। ରାତ୍ରିକାଳୀନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଶୀତର ପ୍ରଭାବ ଧୀରେ ଧୀରେ କମିଯାଇଛି। ସକାଳ ୫ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ତାପମାତ୍ରା ରହିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ, ରାଜ୍ୟରେ ପାରଦ ଏବେ ଉପରମୁହାଁ ହେଉଛି। ରାତିରେ ଶୀତ କମୁଥିବାବେଳେ ଦିନକୁ ଦିନ ଖରାର ପ୍ରଭାବ ବଢ଼ୁଛି। ଏହା ସହ ଆଗାମୀ ୫ ଦିନ, ଅର୍ଥାତ୍ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି।ଯଦିଓ ଭୋର୍ ସମୟରେ ଶୀତ ଲହରିର ଅନୁଭବ ହେଉଛି, ଦିନସାରା ବସନ୍ତ ଋତୁର ପବନ ଏକ ନିଆରା ଆରାମଦାୟକ ଅନୁଭୂତି ଦେଉଛି।
ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ କେନ୍ଦୁଝରରେ ୧୩.୪ ଡିଗ୍ରୀ, ବାଲେଶ୍ବରରେ ୧୫ ଡିଗ୍ରୀ, ପାରାଦୀପରେ ୧୫ ଡିଗ୍ରୀ, ଚାନ୍ଦବାଲିରେ ୧୫.୨ ଡିଗ୍ରୀ, ଗୋପାଳପୁରରେ ୧୬.୮ ଡିଗ୍ରୀ ଓ ପୁରୀରେ ୧୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଶେଷଜ୍ଞମାନଙ୍କ ମତାନୁସାରେ, ଆଗାମୀ ଦିନରେ ଶୀତ ଆହୁରି କମିବା ସହ ରାଜ୍ୟରେ ବସନ୍ତ ଋତୁର ପ୍ରଭାବ ଅଧିକ ସ୍ପଷ୍ଟ ହେବ।

