Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ରାଜସ୍ବ ସେବା ପାଇବାରେ କୌଣସି ଅସୁବିଧା ନ ହେବାକୁ ନେଇ ରାଜସ୍ବ ବିଭାଗ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଏହି ଉଦ୍ଦେଶ୍ୟରେ ସୋମବାର ଲୋକସେବା ଭବନରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।ବୈଠକ ପରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶା ସରକାରୀ ଭୂ-ପରିଚାଳନା ଆଇନରେ ଆବଶ୍ୟକ ସଂସ୍କାର ଆଣିବାକୁ ନେଇ ବିସ୍ତୃତ ଆଲୋଚନା ହୋଇଛି।

ଏହାକୁ ନେଇ ଖୁବ୍‌ଶୀଘ୍ର ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍‌ରେ ଅନୁମୋଦନ ପାଇଁ ରଖାଯିବ।ସାଧାରଣ ଲୋକଙ୍କ ସହଜତାକୁ ଧ୍ୟାନରେ ରଖି ତହସିଲଦାରମାନଙ୍କ କାର୍ଯ୍ୟଦକ୍ଷତା ମାପିବା ପାଇଁ ନୂତନ ବ୍ୟବସ୍ଥା ଲାଗୁ କରାଯିବ। କେଉଁ ତହସିଲଦାର କେତେ ଶୀଘ୍ର ମାମଲା ସମାଧାନ କରୁଛନ୍ତି ଏବଂ ସେବାର ଗୁଣାତ୍ମକତା କେମିତି ରହୁଛି, ସେଥିପାଇଁ ର୍ୟାଙ୍କିଙ୍ଗ ପ୍ରଣାଳୀ ଆଣାଯିବ। ଅଭ୍ୟାସଗତ ଭାବେ ଅନିୟମ କିମ୍ବା ଠକେଇ କରୁଥିବା ଅଧିକାରୀମାନେ ଏହି ମୂଲ୍ୟାଙ୍କନରେ ଚିହ୍ନଟ ହେବେ ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ, ଭଲ କାମ କରୁଥିବା ଅଧିକାରୀମାନଙ୍କୁ ପ୍ରଶଂସାପତ୍ର ସହ ପଦୋନ୍ନତି ଦେବାର ବ୍ୟବସ୍ଥା ମଧ୍ୟ ରହିବ।

ପୁରୁଣା ରାଜସ୍ବ ମାମଲା ନିଷ୍ପତ୍ତି କରିବା ସହ ରାଜସ୍ବ ସଂସ୍କାରକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଭାଗ ଶୀଘ୍ର ନୂତନ ପଦକ୍ଷେପ ନେବ ବୋଲି ଜଣାଯାଇଛି।ଏହାସହିତ ତହସିଲଦାରମାନଙ୍କୁ ନୂତନ ଆଇନ, ରାଜସ୍ବ ସେବା ଓ ବିଭାଗୀୟ ପରିବର୍ତ୍ତନ ସମ୍ପର୍କରେ ଅବଗତ କରାଇବା ପାଇଁ ତାଲିମ ପ୍ରଦାନ କରାଯିବ। ପ୍ରତିଦିନ ଅପରାହ୍ନ ୫ଟାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ଓ ଭୂ-ବନ୍ଦୋବସ୍ତ ଅଧିକାରୀଙ୍କ ସହ ଆଭାସୀ ବୈଠକ ମାଧ୍ୟମରେ କାର୍ଯ୍ୟସମୀକ୍ଷା କରାଯିବ।

Leave a Reply

Your email address will not be published. Required fields are marked *