Sun. Feb 22nd, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର କ୍ୟାପିଟାଲ ଥାନା ସମୀପସ୍ଥ ୟୁନିଟ–୧ ହାଟରେ ମଧ୍ୟରାତ୍ରି ପାଖାପାଖି ୧ଟା ସମୟରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଅଞ୍ଚଳକୁ ଆତଙ୍କିତ କରିଦେଇଛି। ପ୍ରଥମେ ଗୋଟିଏ ପ୍ଲାଷ୍ଟିକ୍ ଦୋକାନରୁ ନିଅଁା ଲାଗିଥିବାବେଳେ, ଚାହୁଁଚାହୁଁ ଏହା ଭୟାବହ ରୂପ ନେଇ ଗୋଟିଏ ପରେ ଗୋଟିଏ ଦୋକାନକୁ ଗ୍ରସିନେଇଥିଲା।

ଏହି ଅଗ୍ନିକାଣ୍ଡରେ ପାଖାପାଖି ୨୫ଟି ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଯାଇଛି।ନିଅଁାର ଲେଲିହାନ ଶିଖା ପ୍ରାୟ ୨୦ ଫୁଟ ଉଚ୍ଚରେ ଜଳୁଥିବା ଦେଖି ସ୍ଥାନୀୟ ଲୋକେ, ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବ୍ୟବସାୟୀ ଓ କ୍ୟାପିଟାଲ ଥାନା ପୁଲିସ ହତବାକ୍ ହୋଇଯାଇଥିଲେ। ଖବର ପାଇ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳ କେନ୍ଦ୍ର ସହ ସେଣ୍ଟ୍ରାଲ ଷ୍ଟ୍ରାଇକ୍ ଫୋର୍ସର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଅଁା ଲିଭାଇବାରେ ଲାଗିଥିଲେ।ନିଅଁାର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ମଧ୍ୟ ହାଟ ଭିତରକୁ ପ୍ରବେଶ କରିପାରୁନଥିଲେ।

ପ୍ଲାଷ୍ଟିକ୍ ସାମଗ୍ରୀ ଥିବା ଦୋକାନ ହୋଇଥିବାରୁ ନିଅଁା ଦ୍ରୁତଗତିରେ ବ୍ୟାପି ନିୟନ୍ତ୍ରଣ କରିବାକୁ ଅଗ୍ନିଶମ ବାହିନୀକୁ ନାକାନି ଚବାଇଥିଲା। ପାଣି ପକାଇ ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ରାତି ପ୍ରାୟ ୩ଟା ସମୟରେ ନିଅଁା କିଛିଟା ନିୟନ୍ତ୍ରଣକୁ ଆସିଥିଲା। ଏହି ଅଗ୍ନିକାଣ୍ଡରେ ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳିଯାଇଥିବାବେଳେ ସମୁଦାୟ କ୍ଷତି ପ୍ରାୟ କୋଟିଏ ଟଙ୍କାରୁ ଅଧିକ ହେବାର ଆଶଙ୍କା କରାଯାଉଛି।

ଅନେକ ବ୍ୟବସାୟୀ ଋଣ କରି କିମ୍ବା ଉଧାର ନେଇ ଦୋକାନ ଭର୍ତ୍ତି କରିଥିବାରୁ ଆଖି ଆଗରେ ସବୁ ଜଳିଯାଉଥିବା ଦେଖି ଭାଙ୍ଗିପଡ଼ିଛନ୍ତି।ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଗ୍ୟାସ୍ ସିଲିଣ୍ଡର କିମ୍ବା ଟ୍ୟାଙ୍କି ଫାଟିବାରୁ ନିଅଁା ଲାଗିଥିବା ଆଶଙ୍କା କରାଯାଉଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ, ଏହି ଭୟଙ୍କର ଅଗ୍ନିକାଣ୍ଡ ୟୁନିଟ–୧ ହାଟର ସୁରକ୍ଷା ବ୍ୟବସ୍ଥା ଉପରେ ଗଭୀର ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *