ନ୍ୟୁଜ ଡେକ୍ସ : ଆବର୍ଜନା ସଂଗ୍ରହ ଓ ପରିଚାଳନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଏମ୍ସି ପକ୍ଷରୁ ‘ୟୁଜର୍ସ ଫି’ ଲାଗୁ କରାଯାଇଛି। ବ୍ୟକ୍ତିଗତ ଘର ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ କେଉଁଠି କେଜି ପିଛା ତ କେଉଁଠି ମାସିକ ଆକାରରେ ୫୦ ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଫି’ ଆଦାୟ ହେବ। ଲୋକେ ହୋଲ୍ଡିଂ ଟିକସ ଭଳି ଏହି ଦେୟ ଅନଲାଇନ୍ରେ ଦେବେ।
ହେଲେ ଫି’ ଆଦାୟ ପୂର୍ବରୁ ଆବର୍ଜନା ସଂଗ୍ରହ ବ୍ୟବସ୍ଥାର ଭଙ୍ଗାଦଦରା ଅବସ୍ଥା ନଗରବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।ବିଏମ୍ସି ଅଧୀନରେ ଘରକୁ ଘର ଆବର୍ଜନା ସଂଗ୍ରହ ପାଇଁ ୬୭ ୱାର୍ଡରେ ୪୩୫ଟି ଗାଡ଼ି ନିୟୋଜିତ ହୋଇଥିବାବେଳେ, ତାହାର ଅଧାରୁ ଅଧିକ ଗାଡ଼ି ଭାଙ୍ଗିଯାଇଛି। ଭଙ୍ଗା ଗାଡ଼ିରେ ଅଳିଆ ପରିବହନ ବେଳେ ରାସ୍ତାଘାଟରେ ଆବର୍ଜନା ପଡ଼ୁଥିବାରୁ ପ୍ରଦୂଷଣ ଓ ସଂକ୍ରମଣର ଭୟ ବଢ଼ୁଛି। ଅନେକ ସ୍ଥାନରେ ନିୟମିତ ଓ ଠିକ୍ ସମୟରେ ଅଳିଆ ଗାଡ଼ି ନପହଞ୍ଚିବାରୁ ଲୋକେ ଆବର୍ଜନାକୁ ରାସ୍ତା କଢ଼ାରେ ଫିଙ୍ଗିବାକୁ ବାଧ୍ୟ ହେଉଛନ୍ତି।ଅନ୍ୟପଟେ, ଅନେକ ଆବର୍ଜନା ଗାଡ଼ି ବିନା ନମ୍ବର ଓ ବିନା ପ୍ରଦୂଷଣ ପ୍ରମାଣପତ୍ରରେ ଚାଲୁଥିବା ଅଭିଯୋଗ ମଧ୍ୟ ଆସୁଛି।
ସାଧାରଣ ଲୋକଙ୍କ ପାଇଁ ଯେଉଁଠି ଏପରି ନିୟମ ଉଲ୍ଲଂଘନରେ ଭାରି ଜରିମାନା ଓ ଗାଡ଼ି ଜବତ ହେଉଛି, ସେଠି ଅଳିଆ ଗାଡ଼ି ମାମଲାରେ ପରିବହନ ବିଭାଗ ନିରବ ରହିଥିବା ପ୍ରଶ୍ନ ଉଠୁଛି। ସବୁଠୁ ଉଦ୍ବେଗଜନକ ସ୍ଥିତି ସଂକ୍ରାମକ ଆବର୍ଜନା ପରିଚାଳନାକୁ ନେଇ। ନିୟମ ଅନୁସାରେ ଦୁଇଟି ଭିନ୍ନ ବାକ୍ସରେ ସଂକ୍ରାମକ ବର୍ଜ୍ୟ ସଂଗ୍ରହ କରିବାକୁ ଥିବାବେଳେ, ଅନେକ ଗାଡ଼ିରେ ସେହି ବ୍ୟବସ୍ଥା ନାହିଁ କିମ୍ବା ବାକ୍ସ କଣା ହୋଇଯାଇଛି।
ଫଳରେ ବାଟସାରା ସଂକ୍ରାମକ ଆବର୍ଜନା ଗଳି ପଡ଼ି ସ୍ୱଚ୍ଛ କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ସଂକ୍ରମଣ ଆଶଙ୍କା ସୃଷ୍ଟି କରୁଛି।ଏ ସମ୍ପର୍କରେ ବିଏମ୍ସିର ଅତିରିକ୍ତ କମିସନର୍ କୈଳାସ ଚନ୍ଦ୍ର ଦାସ କହିଛନ୍ତି, “ଆବର୍ଜନା ପରିବହନରେ ଯେଉଁଠି ବି ଅବ୍ୟବସ୍ଥା ଦେଖାଯିବ, ତାହାକୁ ଆମେ ନଜରକୁ ଆଣି ସୁଧାରିବାକୁ ପଦକ୍ଷେପ ନେବୁ।” ତଥାପି ଫି’ ଆଦାୟ ସହିତ ସେବାର ଗୁଣମାନ ସୁଧାରିବାକୁ ବିଏମ୍ସି କେବେ ଏବଂ କିପରି ପଦକ୍ଷେପ ନେବ, ସେଥିପାଇଁ ନଗରବାସୀ ଅପେକ୍ଷାରେ ଅଛନ୍ତି।

