Mon. Dec 23rd, 2024

ନ୍ୟୁଜ ଡେସ୍କ: ତାମିଲନାଡୁର ତ୍ରିଚିରୁ ଶାରଜାହ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି।ଫଳରେ ବିମାନଟି ଅବତରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବିମାନଟି ପ୍ରାୟ ଅଢେଇ ଘଣ୍ଟା ଧରି ଆକାଶରେ ଘୂରି ବୁଲିଥିଲା। ବହୁ ପ୍ରଚେଷ୍ଟା ପରେ ବିମାନଟିକୁ ସୁରକ୍ଷିତ ଅବତରଣ କରାଯାଇଥିବା ଜଣାପଡିଛି।

ତେବେ ସୂଚନା ମୁତାବକ, ଆଜି ସନ୍ଧ୍ୟା ୫.୪୩ରେ ଏୟାର ଇଣ୍ଡିଆ ଏକ୍ସପ୍ରେସର AXB 613 ବିମାନ ତାମିଲନାଡୁର ତ୍ରିଚି ଏୟାରପୋର୍ଟରୁ ଶାରଜା ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନରେ ୧୪୦ ଜଣ ଯାତ୍ରୀ ଥିଲେ। ବିମାନଟି ମଝି ଆକାଶରେ ଥିବା ବେଳେ ଘଟିଥିଲା ଅଘଟଣ।ବିମାନର ହାଇଡ୍ରୋଲିକ ତ୍ରୁଟି ହୋଇଥିବା ପାଇଲଟ ଜାଣିବାକୁ ପାଇଥିଲେ। ଲ୍ୟାଣ୍ଡିଂ ଗିୟର, ବ୍ରେକ ଓ ଫ୍ଲାପ୍ସ ଆଦି ହାଇଡ୍ରୋଲିକ ତ୍ରୁଟି ଯୋଗୁ କାମ କରିବା ବନ୍ଦ କରିଦେଇଥାଏ। ଏନେଇ ସେ ତୁରନ୍ତ ତ୍ରିଚି ଏୟାର ଷ୍ଟେସନକୁ ଖବର ଦେଇଥିଲେ।ନିୟମ ଅନୁସାରେ, ପାଇଲଟ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। କିନ୍ତୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ପୂର୍ବରୁ ବିମାନରେ ଥିବା ତେଲକୁ ପାଇଲଟ ଖାଲି କରିବାକୁ ଚାହିଁଥିଲେ। ଲ୍ୟାଣ୍ଡିଂ ଗିୟର କାମ କରୁ ନଥିବାରୁ ସେ ବେଲି ଲ୍ୟାଣ୍ଡିଂ ବା ବିମାନର ପେଟ ଜରିଆରେ ଲ୍ୟାଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପୂର୍ବରୁ ସେ ବିମାନରୁ ତେଲ ଖାଲି କରିବା ପାଇଁ ପ୍ରାୟ ୨ ଘଣ୍ଟା କାଳ ତ୍ରିଚି ଆକାଶରେ ଲୋକଙ୍କୁ ଧରି ଚକର ମାରିଥିଲେ। ଏସବୁ ଭିତରେ ଏୟାରପୋର୍ଟରେ ଜରୁରୀ ସ୍ଥିତିର ମୁକାବିଲା ପାଇଁ ୨୦ଟି ଆମ୍ବୁଲାନ୍ସ ଓ ଏକାଧିକ ଅଗ୍ନିଶମ ଗାଡ଼ି ପହଞ୍ଚି ଯାଇଥିଲା। ବରିଷ୍ଠ ଅଧିକାରୀଙ୍କ ଠାରୁ ସୁରକ୍ଷାର୍କୀ ତ୍ରିଚିପାଲ୍ଲୀ ଏୟାରପୋର୍ଟକୁ କର୍ଡନ କରିଥିଲେ। ସମସ୍ତେ ଆଶା ଓ ଆଶଙ୍କା ମଧ୍ୟରେ ରହିଥିଲେ। କିନ୍ତୁ ପାଇଲଟ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଠିକ ସନ୍ଧ୍ୟା ୮.୧୪ରେ ବିମାନର ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରିଥିଲେ।

ହାଇଡ୍ରୋଲିକ ତ୍ରୁଟି ସତ୍ତ୍ୱେ ଲ୍ୟାଣ୍ଡ ବେଳେ ଗିୟର କାମ କରିଥିଲା। ବ୍ରେକ ମଧ୍ୟ ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତେଣୁ ସେ ବିମାନକୁ ସ୍ୱାଭାବିକ ଢଙ୍ଗରେ ନିରାପଦ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି। ଏବେ ତ୍ରୁଟିକୁ ଯାଞ୍ଚ କରାଯିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି।ସୁରକ୍ଷିତ ଲ୍ୟାଣ୍ଡିଂ ପାଇଁ ବିମାନର ପାଇଲଟ ଓ କ୍ରୁ ସଦସ୍ୟଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *