ନ୍ୟୁଜ ଡେକ୍ସ : ରାଜ୍ୟର ଜନ ପରିବହନ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଯୋଗ ହେବାକୁ ଯାଉଛି। ଏଣିକି “ଆମ ବସ୍” ସେବାରେ ମହିଳାମାନେ ମଧ୍ୟ ବସ୍ ଚଳାଇବେ। ଏହି ଉଦ୍ଦେଶ୍ୟରେ ଜାନୁଆରି ୩୧ ତାରିଖରେ କ୍ରୁଟ୍ ପକ୍ଷରୁ ୨୦ ଜଣ ମହିଳା ପୁଣେକୁ ଇ-ବସ୍ ଚାଳନା ତାଲିମ ପାଇଁ ପଠାଯିବେ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।
ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୁଟ୍ “ଆମ ବସ୍” ସେବାର ସମୀକ୍ଷା ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ବୈଠକରେ କ୍ରୁଟ୍ର କାର୍ଯ୍ୟପଦ୍ଧତି, ସେବା ବିସ୍ତାର ଓ ସୁରକ୍ଷା ସମ୍ପର୍କିତ ଗଠନମୂଳକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।ମନ୍ତ୍ରୀ କହିଛନ୍ତି, ମହିଳା ଯାତ୍ରୀଙ୍କ ସୁରକ୍ଷା, ସାମାଜିକ ସମାନତା ଓ ବଢ଼ୁଥିବା ଜନ ପରିବହନ ଚାହିଦାକୁ ଦୃଷ୍ଟିରେ ରଖି ମହିଳା ଚାଳକଙ୍କୁ ଅଧିକ ସୁଯୋଗ ଦିଆଯାଉଛି। ଦୁର୍ଘଟଣା ରୋକିବାକୁ ଚାଳକଙ୍କ ମଦ୍ୟପାନ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି। ଗତ ବର୍ଷରେ ୧ ଲକ୍ଷ ୯୭ ହଜାରରୁ ଅଧିକ ଥର ଯାଞ୍ଚ ହୋଇଥିବା ବେଳେ ୧୯ ଜଣ ଚାଳକଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ଲାଇସେନ୍ସ ତିନିମାସ ପାଇଁ ରଦ୍ଦ କରିବାକୁ ପଦକ୍ଷେପ ନିଆଯାଇଛି।
ମନ୍ତ୍ରୀ ଆହୁରି କହିଛନ୍ତି, ଦେଶର ପ୍ରଥମ ସରକାରୀ ଜନ ପରିବହନ ସଂସ୍ଥା ଭାବେ କ୍ରୁଟ୍ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ସହ ୪ କୋଟିରୁ ଅଧିକ ଟଙ୍କାର ବୀମା ସହାୟତା ଦେଇଛି।ଶୀଘ୍ର କ୍ରୁଟ୍ ଡିପୋ ପରିସରରେ ଏକ ଆଧୁନିକ ତାଲିମ୍ କେନ୍ଦ୍ର ଗଢ଼ାଯିବ, ଯେଉଁଠି ବ୍ୟବହାରିକ ଓ ଆଚରଣଗତ ପ୍ରଶିକ୍ଷଣ ସହ ଟ୍ରାଫିକ ନିୟମ, ଲେନ୍ ଡ୍ରାଇଭିଂ ଉପରେ ଗୁରୁତ୍ୱ ଦିଆଯିବ।ବାରିପଦା, କେନ୍ଦୁଝର ଓ ଅନୁଗୁଳରେ ଆମ ବସ୍ ସେବା ଆରମ୍ଭକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

