ନ୍ୟୁଜ ଡେକ୍ସ : ୭୭ତମ ଗଣତନ୍ତ୍ର ଦିବସ ପୂର୍ବସନ୍ଧ୍ୟାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବୋଧନ ପ୍ରଦାନ କରିବେ। ଏହି ଉଦବୋଧନ ଆଜି ସନ୍ଧ୍ୟା ୭ଟା ସମୟରେ ଦେଶର ସମସ୍ତ ଆକାଶବାଣୀ ଜାତୀୟ ନେଟ୍ୱାର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ରେ ସିଧାସଳଖ ପ୍ରସାରଣ ହେବ।
ରାଷ୍ଟ୍ରପତିଙ୍କ ଏହି ସମ୍ବୋଧନ ପ୍ରଥମେ ହିନ୍ଦୀ ଭାଷାରେ ଏବଂ ପରେ ଇଂରାଜୀ ଭାଷାରେ ପ୍ରସାରିତ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ଜାତି ଉଦ୍ଦେଶ୍ୟରେ ଏହି ଅଭିଭାଷଣ ଦେଶବାସୀଙ୍କ ପାଇଁ ଏକ ପ୍ରେରଣାଦାୟକ ମୁହୂର୍ତ୍ତ ହୋଇଥାଏ।
ଏହି ସମ୍ବୋଧନରେ ଦେଶର ସାମ୍ପ୍ରତିକ ସଫଳତା, ଉନ୍ନତି ଯାତ୍ରା, ସାମାଜିକ ଏକତା, ଲୋକତନ୍ତ୍ରର ମୂଲ୍ୟବୋଧ ଓ ଆଗାମୀ ଦିନ ପାଇଁ ଦେଶର ଦୃଷ୍ଟିକୋଣ ସମ୍ପର୍କରେ ରାଷ୍ଟ୍ରପତି ମତ ପ୍ରକାଶ କରିବେ ବୋଲି ଆଶା କରାଯାଉଛି।ଗଣତନ୍ତ୍ର ଦିବସ ପାଳନର ପୂର୍ବସନ୍ଧ୍ୟାରେ ଏହି ଉଦବୋଧନ ଦେଶବାସୀଙ୍କୁ ଏକତା, ଦେଶଭକ୍ତି ଓ ସମ୍ବିଧାନ ପ୍ରତି ଆସ୍ଥାକୁ ଆହୁରି ସୁଦୃଢ଼ କରିବ।

