ନ୍ୟୁଜ ଡେକ୍ସ : ସମଗ୍ର ଦେଶ ଆଜି ଗର୍ବ ଓ ଗୌରବର ସହ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଗରିମାମୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସହିତ ଅନେକ ଦେଶୀ-ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଚଳିତବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଓ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନ ଉପସ୍ଥିତ ଥିଲେ। ଏହା ସହ ବିଭିନ୍ନ ଦେଶର ପ୍ରତିନିଧିମାନେ ମଧ୍ୟ ଏହି ଭବ୍ୟ ସମାରୋହରେ ଯୋଗଦେଇଥିଲେ।ଏହି ଅବସରରେ କର୍ତ୍ତବ୍ୟପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାମରିକ ପରେଡ, ସାଂସ୍କୃତିକ ପ୍ରଦର୍ଶନ ଓ ବାୟୁସେନାର ଅଭୂତପୂର୍ବ ଫ୍ଲାଇପାଷ୍ଟ ଦେଶର ଗର୍ବ, ପ୍ରଗତି ଓ ଏକତାକୁ ଉଜାଗର କରିଥିଲା। ସାମରିକ ପରେଡ ସହିତ ରାଜ୍ୟ ଓ ବିଭାଗଗୁଡ଼ିକର ପ୍ରଜ୍ଞାପନ ମେଢ଼ କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇ ଆଧୁନିକ ଭାରତ, ବିକାଶଶୀଳ ଭାରତ ଓ ଭାରତୀୟ ପରମ୍ପରାର ଶ୍ରେଷ୍ଠତାକୁ ଦେଖାଇଥିଲା।
ଏହି ଗରିମାମୟ ଅବସରରେ ମହାକାଶଚାରୀ ଓ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଶାନ୍ତିକାଳୀନ ସର୍ବୋଚ୍ଚ ବୀରତା ସମ୍ମାନ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟପଥରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ୨୦୨୫ ଜୁନ ୨୫ରେ ଐତିହାସିକ ଆକ୍ସିଅମ ମିଶନ–୪ ମାଧ୍ୟମରେ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାତ୍ରା କରିଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଭାରତୀୟ ଭାବେ ସେ ଆଇଏସ୍ଏସ୍ରେ ପହଞ୍ଚି ଦେଶର ମହାକାଶ ଇତିହାସରେ ନୂଆ ଅଧ୍ୟାୟ ଲେଖିଥିଲେ।
ସେଠାରେ ସେ ୧୮ ଦିନ ରହି ୬୦ଟି ବୈଜ୍ଞାନିକ ପରୀକ୍ଷା ସଫଳତାର ସହ କରିଥିଲେ, ଯାହାମଧ୍ୟରୁ ୭ଟି ପରୀକ୍ଷା ଇସ୍ରୋର ଥିଲା।ଅଶୋକ ଚକ୍ର ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ସାମରିକ ସମ୍ମାନ ହେବାରୁ ଏହି ସମ୍ମାନ ଦେଶ ପାଇଁ ଏକ ଐତିହାସିକ ଗର୍ବର କ୍ଷଣ ଭାବେ ପରିଗଣିତ ହେଉଛି। ୭୭ତମ ଗଣତନ୍ତ୍ର ଦିବସ ଏହି ଗୌରବମୟ ସମ୍ମାନ ସହିତ ଦେଶର ଏକତା, ସାହସ ଓ ପ୍ରଗତିର ପ୍ରତୀକ ହୋଇ ଉଭାସି ଉଠିଛି।

