ନ୍ୟୁଜ ଡେକ୍ସ : ଗତବର୍ଷ ଜାନୁଆରୀ ୨୫ ତାରିଖରେ କୁମ୍ଭମେଳା ସମୟରେ ଘଟିଥିବା ଦଳାଚକଟା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଦାଖଲ ହୋଇଥିବା କ୍ଷତିପୂରଣ ଦାବିକୁ ଆହୁରି ସମୟ ଦେବାକୁ ଆହ୍ଲାବାଦ ହାଇକୋର୍ଟ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ଉତ୍ତରପ୍ରଦେଶ ତଦନ୍ତ କମିସନଙ୍କ ଚୂଡ଼ାନ୍ତ ରିପୋର୍ଟ ଅପେକ୍ଷା ଦେଖାଇ ଦାବି ନିଷ୍ପତ୍ତିକୁ ବିଳମ୍ବ କରାଯାଉଥିବାରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ମାମଲାରେ ମୃତାଙ୍କ ସ୍ୱାମୀ ଉଦୟ ପ୍ରତାପ ସିଂହଙ୍କ ଦ୍ୱାରା ଦାୟର ଏକ ରିଟ୍ ପିଟିସନର ଶୁଣାଣି କରି ବିଚାରପତି ଅଜିତ କୁମାର ଓ ବିଚାରପତି ସ୍ୱରୂପମା ଚତୁର୍ବେଦୀଙ୍କ ଖଣ୍ଡପୀଠ ମେଳା କର୍ତ୍ତୃପକ୍ଷ ଓ ତଦନ୍ତ କମିସନଙ୍କୁ ୩୦ ଦିନ ମଧ୍ୟରେ କ୍ଷତିପୂରଣ ଦାବି ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଳନ ନହେଲେ ମାମଲାକୁ ଗମ୍ଭୀରତାର ସହ ବିଚାର କରାଯିବ ବୋଲି କୋର୍ଟ ସଚେତନ କରାଇଛନ୍ତି।କୋର୍ଟ ଉଲ୍ଲେଖ କରିଥିଲେ ଯେ, ପୂର୍ବରୁ ଜୁନ୍ ୬, ୨୦୨୫ରେ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ତଥାପି କ୍ଷତିପୂରଣ ପ୍ରଦାନରେ ହେଉଥିବା ବିଳମ୍ବକୁ ନେଇ ଖଣ୍ଡପୀଠ ସନ୍ତୁଷ୍ଟ ହୋଇନଥିଲେ ଏବଂ ପୀଡିତ ପରିବାରଙ୍କୁ ଶୀଘ୍ର ନ୍ୟାୟ ମିଳିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ଏହାସହ, ରାଜ୍ୟ ସରକାର ଓ ମେଳା କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଅନୁପ ତ୍ରିବେଦୀଙ୍କୁ ପରବର୍ତ୍ତୀ ଶୁଣାଣି ତାରିଖ ସୁଦ୍ଧା ନିଆଯାଇଥିବା ନିଷ୍ପତ୍ତି ବିଷୟରେ କୋର୍ଟକୁ ଅବଗତ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

