Sat. Feb 21st, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚନ୍ଦ୍ରଶେଖରପୁର ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ୧୬୭ ଜଣ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ କରାଯାଇଛି। ସାଲିଆସାହି, ସୁଭାଷ ବୋଷ ନଗର ବସ୍ତି, ମହାବୀର ବସ୍ତି, ମାଛ ମାର୍କେଟ ବସ୍ତି, ଜଗନ୍ନାଥବିହାର ଗୋପାଳ ବସ୍ତି, ସହିଦ ଲକ୍ଷ୍ମଣ ବସ୍ତି, ପଳାଶୁଣୀର ମୁଣ୍ଡାସାହି, ମା’ ଭଗବତୀ ବସ୍ତି, ମଙ୍ଗଳା ବସ୍ତି ସହ ୧୦ରୁ ଅଧିକ ବସ୍ତିର ପରିବାରଗୁଡ଼ିକୁ ଏହି ଘର ମିଳିଛି।

ଏହି ଗୃହ ଆବଣ୍ଟନ କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଘର ଆବଣ୍ଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ବସ୍ତିବାସିନ୍ଦାଙ୍କୁ ଦିଆଯାଉଥିବା ଘରଗୁଡ଼ିକୁ ଆଗାମୀ ଦିନରେ ଅତ୍ୟାଧୁନିକ ସୁବିଧା ସହିତ ସଜାଯିବ। ବସ୍ତିବାସିନ୍ଦାଙ୍କ ପାଇଁ ୬ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କରାଯାଉଛି, ଯେଉଁଠାରେ ଲିଫ୍ଟ ସହିତ ସମସ୍ତ ଆବଶ୍ୟକ ସୁବିଧା ରହିବ। ଏହାର ରକ୍ଷା-ରଖାଉ ଓ ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି। ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ରହୁଥିବା ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ମାର୍କେଟ କମ୍ପ୍ଲେକ୍ସ ସୁବିଧା ମଧ୍ୟ ରହିବ।

ହିତାଧିକାରୀମାନଙ୍କୁ ବ୍ୟବସାୟ କରି ଆୟ ବୃଦ୍ଧି କରିବାକୁ ସେଠାରେ ଦୋକାନ ଓ ବ୍ୟବସାୟିକ ସ୍ଥାନ ମଧ୍ୟ ପ୍ରଦାନ କରାଯିବ। ଏହା ସହ ହିତାଧିକାରୀଙ୍କ ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି।ମନ୍ତ୍ରୀ ଡ. ମହାପାତ୍ର ଆହୁରି କହିଥିଲେ ଯେ, ବସ୍ତି ଅଞ୍ଚଳରେ ରହୁଥିବା ମଧ୍ୟବିତ୍ତ ପରିବାରଙ୍କୁ ସ୍ବଳ୍ପ ମୂଲ୍ୟରେ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଯୋଜନା କରୁଛନ୍ତି ଏବଂ ଏହା ପାଇଁ ସମସ୍ତ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଥିଲେ ଯେ, ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଯେଉଁ ହିତାଧିକାରୀମାନେ ଉଚ୍ଛେଦ ହୋଇଛନ୍ତି କିମ୍ବା ଉଚ୍ଛେଦ ହେବାକୁ ଥିବା, ସେମାନଙ୍କୁ ସରକାର ପର୍ଯ୍ୟାୟକ୍ରମେ ପକ୍କା ଘର ନିର୍ମାଣ କରି ଦେଉଛନ୍ତି। ନୂଆ ଘରଗୁଡ଼ିକୁ ସୁଚ୍ଛ ଓ ପରିଷ୍କାର ରଖିବା ଦାୟିତ୍ୱ ହିତାଧିକାରୀମାନଙ୍କର ବୋଲି ସେ କହିଥିଲେ।

ବିଏମ୍‌ସି ପକ୍ଷରୁ ଘର ସ୍ଥାନାନ୍ତର ବେଳେ କିମ୍ବା ସେଠାରେ ପହଞ୍ଚିବା ପରେ କୌଣସି ହିତାଧିକାରୀ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ, ବିଦ୍ୟୁତ୍ ଆଲୋକ ସହ ଆବଶ୍ୟକ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି।ଗୃହ ଆବଣ୍ଟନରେ ସ୍ୱଚ୍ଛତା ଓ ପାରଦର୍ଶିତା ରକ୍ଷା ପାଇଁ ସମସ୍ତ ହିତାଧିକାରୀଙ୍କ ଉପସ୍ଥିତିରେ ଲଟେରୀ ମାଧ୍ୟମରେ ଘର ଆବଣ୍ଟନ କରାଯାଇଥିଲା। ଏହି ପ୍ରକଳ୍ପ ଦ୍ୱାରା ସହରର ବସ୍ତିବାସିନ୍ଦାମାନେ ନିଜ ଜୀବନରେ ସୁରକ୍ଷିତ ଓ ସମ୍ମାନଜନକ ଆବାସର ସ୍ୱପ୍ନ ପୂରଣ କରିପାରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *