Sat. Feb 21st, 2026

ନ୍ୟୁଜ ଡେକ୍ସ : ମୟୂରଭଞ୍ଜର ପୂର୍ବତନ ସାଂସଦ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କ ଆଜି ଦେହାନ୍ତ ହୋଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି। ମୃତ୍ୟୁ ସମୟରେ ତାଙ୍କ ବୟସ ୭୦ ବର୍ଷ ଥିଲା। ଡିସେମ୍ବର ୫ ତାରିଖରେ ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସେଥିଠାରୁ ଚିକିତ୍ସା ଚାଲିଥିଲା।୧୯୫୬ ମସିହାରେ ମୟୂରଭଞ୍ଜ ଜିଲ୍ଲାର କଳୁଆଖାମନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୁଶୀଳା ତିରିଆ ଏକ ସ୍ବାଧୀନତା ସଂଗ୍ରାମୀ ପରିବାରରୁ ଆସିଥିଲେ।

ଶିକ୍ଷାରେ ମେଧାବୀ ସୁଶୀଳା ଉତ୍କଳ ବିଶ୍ୱବିଦ୍ୟାଳୟରୁ ବି.ଏ. ଡିଗ୍ରୀ ହାସଲ କରିଥିଲେ। ମାତ୍ର ୨୪ ବର୍ଷ ବୟସରେ ସେ ଯୁବ କଂଗ୍ରେସରେ ଯୋଗଦେଇ ରାଜନୀତିରେ ପଦାର୍ପଣ କରିଥିଲେ। ତାଙ୍କ ରାଜନୈତିକ ଯାତ୍ରା ୧୯୮୩-୮୪ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଉପସଭାପତି ଓ ସଭାପତି ଭାବେ ଦାୟିତ୍ୱ ନିବାହ କରିବା ସହ ଆରମ୍ଭ ହୋଇଥିଲା। ୧୯୮୬ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିଲେ। ରାଜ୍ୟସଭା ସଦସ୍ୟା ଭାବେ ତାଙ୍କ କାର୍ଯ୍ୟକାଳରେ ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରମାଣୁ ଶକ୍ତି ଓ ସମୁଦ୍ର ବିକାଶ ମନ୍ତ୍ରଣାଳୟ, ନାଗରିକ ବିମାନ ପରିବହନ ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟା ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିବାହ କରିଥିଲେ।୧୯୯୪ ମସିହାରେ ଅନୁସୂଚିତ ଜନଜାତି ଆସନରୁ ଦଶମ ଲୋକସଭା ନିର୍ବାଚନରେ ମୟୂରଭଞ୍ଜରୁ ବିଜୟୀ ହୋଇ ସେ ସାଂସଦ ହୋଇଥିଲେ। ୧୯୯୬ରେ ସେ ପୁଣି ଲୋକସଭାକୁ ନିର୍ବାଚିତ ହୋଇ ନିଜ ଅଞ୍ଚଳର ଲୋକଙ୍କ ସ୍ୱରକୁ ଦିଲ୍ଲୀରେ ପ୍ରତିନିଧିତ୍ୱ କରିଥିଲେ।

ସେ ଭାରତୀୟ ଜାତୀୟ କଂଗ୍ରେସ କମିଟିର ସ୍ଥାୟୀ ସଦସ୍ୟା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସୁଶୀଳା ତିରିଆଙ୍କ ପରଲୋକରେ ଓଡ଼ିଶାର ରାଜନୀତି ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁ ଖବର ପରେ ମୟୂରଭଞ୍ଜ ସହ ସମଗ୍ର ରାଜ୍ୟରେ ଶୋକର ଛାୟା ପଡ଼ିଛି। ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ଲୋକସେବାମୂଳକ ଅବଦାନକୁ ସ୍ମରଣ କରୁଛନ୍ତି।

Leave a Reply

Your email address will not be published. Required fields are marked *