ନ୍ୟୁଜ ଡେକ୍ସ : ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୫ ଜଣ ଅଭିଯୁକ୍ତ ଆଜି ବ୍ରହ୍ମପୁର ଜିଲ୍ଲା ଅଦାଲତରେ ହାଜର ହୋଇଛନ୍ତି। ତେବେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବିଜେଡି ନେତା ମଦନ ଦଳାଇ ଅସୁସ୍ଥତା କାରଣରୁ ଅଦାଲତରେ ହାଜର ହୋଇପାରିନଥିଲେ।
ସମସ୍ତ ଅଭିଯୁକ୍ତ ଅଦାଲତରେ ଉପସ୍ଥିତ ନଥିବାରୁ ଜିଲ୍ଲା ଜଜ୍ ଆସନ୍ତା ୬ ତାରିଖକୁ ପୁଣିଥରେ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି ଓ ସମସ୍ତଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ମାମଲାଟି ଏଡିଜେ–୩ କୋର୍ଟରେ ଶୁଣାଣି ହୋଇ ଚାର୍ଜଫ୍ରେମ ହେବା ପରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅଭିଯୁକ୍ତଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।ଏହା ପୂର୍ବରୁ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଅଦାଲତ ଦ୍ୱାରା ଖାରଜ କରାଯାଇଥିଲା। କିଛିଦିନ ପୂର୍ବରୁ ଏସଡିଜେଏମ କୋର୍ଟରେ କମିଟମେଣ୍ଟ ପରେ ମାମଲାଟି ଜିଲ୍ଲା ଅଦାଲତକୁ ସ୍ଥାନାନ୍ତର ହୋଇଥିଲା।
ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ୧୫ ଜଣ ଅଭିଯୁକ୍ତ ଓ ଫୁଲବାଣୀ କାରାଗାରରେ ରହୁଥିବା ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ କଡା ସୁରକ୍ଷା ମଧ୍ୟରେ ଅଦାଲତରେ ଆଣାଯାଇଥିଲା। ଏହି ଅବସରରେ ଜିଲ୍ଲା କୋର୍ଟ ପରିସରରେ ବ୍ୟାପକ ପୁଲିସ ବ୍ୟବସ୍ଥା ରହିଥିଲା।ଜଣେ ପ୍ରସିଦ୍ଧ ଆଇନଜୀବୀ ଓ ରାଜନୈତିକ ନେତାଙ୍କ ଖୁଲମ୍ଖୁଲା ହତ୍ୟା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ ପ୍ରାୟ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରି ୧୬ ଜଣଙ୍କୁ ଗିରଫ କରିଥିବାବେଳେ ବର୍ତ୍ତମାନ ୧୫ ଜଣ ବ୍ରହ୍ମପୁର ଓ ପିଣ୍ଟୁ ଦାସ ଫୁଲବାଣୀ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ରହିଛନ୍ତି। ମାମଲାର ତଦନ୍ତ ଜାରି ରହିଛି।

