ନ୍ୟୁଜ ଡେକ୍ସ : ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ୩ ଓ ୪ ତାରିଖର ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ ‘ବ୍ଲ୍ୟୁ ବୁକ୍’ ଅନୁଯାୟୀ ଆଜି ଅପରାହ୍ନ ୧୨ ଘଟିକାରୁ ଆସନ୍ତାକାଲି ଅପରାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପୁରୀ ସହର ସହ ୧୦ କିମି ପରିସୀମାକୁ ‘ଡ୍ରୋନ ମୁକ୍ତ ଅଞ୍ଚଳ’ ବା ‘ନୋ ଫ୍ଲାଇଂ ଜୋନ’ ଘୋଷଣା କରାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ଯେ, ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଡ୍ରୋନ, ରିମୋଟ କଣ୍ଟ୍ରୋଲ୍ ଏୟାରକ୍ରାଫ୍ଟ, ଅଥବା ଅନ୍ୟ କୌଣସି ଉଡୁଥିବା ଯନ୍ତ୍ର ବ୍ୟବହାର କରିବାକୁ କଡା ଭାବେ ନିଷେଧ କରାଯାଇଛି। ଏସପିଙ୍କ ସୁରକ୍ଷା ସମ୍ପର୍କିତ ପତ୍ର ଆଧାରରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏହି ନିଷେଧାଦେଶ ଜାରି କରିଛନ୍ତି।ରାଷ୍ଟ୍ରପତି ୩ ତାରିଖ ସନ୍ଧ୍ୟାରେ ପୁରୀ ପହଞ୍ଚି ପୁରୀ ଲୋକଭବନରେ ରାତ୍ରିଯାପନ କରିବେ। ପରଦିନ ୪ ତାରିଖ ସକାଳେ ସେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ସହ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହି ଧାର୍ମିକ ଓ ସାର୍ବଜନୀନ କାର୍ଯ୍ୟକ୍ରମକୁ ନେଇ ପୁରୀ ସହରରେ ଭୀଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପ୍ରସ୍ତୁତିକୁ ବଢ଼ାଯାଇଛି।
ଜିଲ୍ଲା ପ୍ରଶାସନ, ପୁଲିସ, ସ୍ପେସାଲ୍ ସୁରକ୍ଷା ବଳ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସୀମାନେ ସମଗ୍ର ସହରରେ କଡା ନଜର ରଖିବେ। ସିସିଟିଭି, ଡ୍ରୋନ ଡିଟେକ୍ସନ ସିଷ୍ଟମ୍, ବ୍ୟାରିକେଡିଂ ଓ ପେଟ୍ରୋଲିଂ ମାଧ୍ୟମରେ ସୁରକ୍ଷାକୁ ଆହୁରି ମଜବୁତ କରାଯାଇଛି।ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି ଯେ, ନିଷେଧାଦେଶକୁ କଡା ଭାବେ ପାଳନ କରନ୍ତୁ ଏବଂ କୌଣସି ଡ୍ରୋନ କିମ୍ବା ଉଡୁଥିବା ଯନ୍ତ୍ର ଉଡ଼ାନ୍ତୁ ନାହିଁ। ନିୟମ ଉଲ୍ଲଂଘନ କରିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସତର୍କ କରିଛି।

