ନ୍ୟୁଜ ଡେକ୍ସ :ସମ୍ବଲପୁର ଓ ପୁରୀ ମହାନଗର ନିଗମ (ଏମ୍ସି) ନିର୍ବାଚନକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ଏହା ସହିତ ଦୁଇଟି ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିୟାକୁ ଆଗେ ବଢ଼ାଇବା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।
ସରକାରୀ ସୂଚନା ଅନୁସାରେ, ୨୧ ଫେବୃଆରୀରେ ସମ୍ବଲପୁର ଓ ପୁରୀ ମହାନଗର ନିଗମ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ଚିଠା ବିଜ୍ଞପ୍ତି (ଡ୍ରାଫ୍ଟ ନୋଟିଫିକେସନ୍) ପ୍ରକାଶ ପାଇବ। ଏହି ଚିଠା ବିଜ୍ଞପ୍ତିରେ ପ୍ରତ୍ୟେକ ୱାର୍ଡର ସୀମା, ଆସନର ସଂଖ୍ୟା ଓ ସଂରକ୍ଷଣ (ଏସ୍ସି, ଏସ୍ଟି, ମହିଳା ଆଦି) ସମ୍ପର୍କିତ ବିବରଣୀ ରହିବ।ଚିଠା ବିଜ୍ଞପ୍ତି ପ୍ରକାଶ ପରେ ଜନସାଧାରଣ, ରାଜନୈତିକ ଦଳ ଓ ଆଗ୍ରହୀ ପକ୍ଷମାନେ ୨୧ ଫେବୃଆରୀରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ଆପତ୍ତି ଓ ପ୍ରସ୍ତାବ ଦାଖଲ କରିପାରିବେ। ମିଳିଥିବା ଆପତ୍ତି–ଅଭିଯୋଗଗୁଡ଼ିକୁ ପରୀକ୍ଷା କରି ସରକାର ଅନ୍ତିମ ବିଜ୍ଞପ୍ତି ପ୍ରକାଶ କରିବେ।
ଏହା ପରେ ନିର୍ବାଚନ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ। ସରକାରୀ ମହଳର କହିବାନୁସାରେ, ୱାର୍ଡ ଭାଗ ଓ ଆସନ ସଂରକ୍ଷଣ ନିଷ୍ପତ୍ତି ନିର୍ବାଚନର ମୂଳ ଆଧାର ହେଉଥିବାରୁ ଏହି ପ୍ରକ୍ରିୟାକୁ ସଫଳ, ସ୍ୱଚ୍ଛ ଓ ନ୍ୟାୟସଙ୍ଗତ ଭାବେ ସମ୍ପନ୍ନ କରାଯିବ। ଏହା ସହିତ ସମ୍ବଲପୁର ଓ ପୁରୀ ସହରରେ ମହାନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ ଓ ସାଧାରଣ ମହଳରେ ଉତ୍ସାହ ଆରମ୍ଭ ହୋଇଛି।

