Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ସରକାରୀ, ଅର୍ଦ୍ଧ-ସରକାରୀ ଓ ପିଏସୟୁ ନିଯୁକ୍ତି ପ୍ରକ୍ରିୟାରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ କଡାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସମସ୍ତ ବିଭାଗକୁ କଠୋର ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଗତ ୨୭ ତାରିଖରେ ଏକ ସରକାରୀ ପତ୍ର ଜାରି ହୋଇଛି, ଯାହାର ନକଲ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରେଭେନ୍ୟୁ ଡିଭିଜନାଲ୍ କମିଶନର ଓ ଜିଲ୍ଲାପାଳମାନଙ୍କୁ ପଠାଯାଇଛି।

ଏହି ପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଯେଉଁ ସମସ୍ତ ପଦବୀ ପାଇଁ କମ୍ପ୍ୟୁଟର ଯୋଗ୍ୟତା ଅନିବାର୍ୟ, ସେଠାରେ UGC କିମ୍ବା AICTE ସ୍ୱୀକୃତ ସଂସ୍ଥାରୁ ପ୍ରଦତ୍ତ PGDCA ଓ DCA ସାର୍ଟିଫିକେଟ୍, ଏବଂ NIELIT ‘O’ ଲେଭେଲ୍ ପ୍ରମାଣପତ୍ରକୁ ମାନ୍ୟତା ଦିଆଯିବ। ଏହା ସହିତ ସେମାନଙ୍କ ସମତୁଲ୍ୟ ଭାବେ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL) ଦ୍ୱାରା ପରିଚାଳିତ OS-CIT ପାଠ୍ୟକ୍ରମକୁ ମଧ୍ୟ ସରକାରୀ ନିଯୁକ୍ତି ପାଇଁ ବୈଧ ଯୋଗ୍ୟତା ଭାବେ ଗ୍ରହଣ କରାଯିବ। ସରକାରୀ ପତ୍ରରେ କୁହାଯାଇଛି ଯେ, OS-CIT ହେଉଛି ରାଜ୍ୟସ୍ତରୀୟ ମୌଳିକ କମ୍ପ୍ୟୁଟର ଦକ୍ଷତା ବିକାଶ ପାଇଁ ଏକ ସ୍ୱୀକୃତ ଓ ଭରସାଯୋଗ୍ୟ ପାଠ୍ୟକ୍ରମ।

ଏହା ମାଧ୍ୟମରେ ରାଜ୍ୟର ଯୁବକ-ଯୁବତୀମାନେ ଆଧୁନିକ ଡିଜିଟାଲ୍ ଦକ୍ଷତା କରି ନିଯୁକ୍ତିରେ ସୁଯୋଗ ପାଇପାରିବେ। ତେଣୁ ଭବିଷ୍ୟତରେ କୌଣସି ନିଯୁକ୍ତି ପ୍ରକ୍ରିୟାରେ OS-CIT କୁ ଅବହେଳା କିମ୍ବା ଅସ୍ୱୀକୃତ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ କମ୍ପ୍ୟୁଟର ଶିକ୍ଷାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବା ସହ ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ଅଧିକ ସୁଗମ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *