ନ୍ୟୁଜ ଡେକ୍ସ : ଓଡ଼ିଶାର ଧାର୍ମିକ ଆସ୍ଥାର କେନ୍ଦ୍ର ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହି ଧାର୍ମିକ ଗସ୍ତ ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ।ସକାଳ ୬ଟା ୫୦ ମିନିଟରେ ରାଷ୍ଟ୍ରପତି ଲୋକଭବନରୁ ବାହାରି କାକୁଡ଼ିଖାଇଛକ ଦେଇ ବାଲିସାହିସ୍ଥିତ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ପହଞ୍ଚିଥିଲେ।
ସେଠାରେ ସେ ପିଣ୍ଡଦାନ କରି ପୂର୍ବଜମାନଙ୍କୁ ସ୍ମରଣ କରିଥିଲେ। ପ୍ରାୟ ୩୦ ମିନିଟ ପରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ।ବାଲିସାହିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମଗ୍ର ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ସକାଳ ୭ଟା ୪୦ ମିନିଟରେ ସେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ୭ଟା ୪୫ରୁ ୮ଟା ୧୦ ମଧ୍ୟରେ ରାଷ୍ଟ୍ରପତି ମହାପ୍ରଭୁ ଜଗନ୍ନାଥ, ମା ବଳଭଦ୍ର ଓ ମା ସୁଭଦ୍ରାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଦର୍ଶନ ସାରିବା ପରେ ସେ କିଛି ସମୟ ପାଇଁ ବାଇଶି ପାହାଚରେ ବସିଥିଲେ, ଯାହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଭାରି ଆନନ୍ଦ ଓ ଆଶ୍ଚର୍ଯ୍ୟ ଦେଖାଦେଇଥିଲା।
ପରେ ସେ ମୁକ୍ତିମଣ୍ଡପରେ ଯାଇ ପଣ୍ଡିତମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ।ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ, ଗୋପାଳବଲ୍ଲଭ ଭୋଗ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା। ଏହା ଫଳରେ ସୁରକ୍ଷା ଓ ଧାର୍ମିକ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇପାରିଥିଲା।ଶ୍ରୀମନ୍ଦିରରୁ ଫେରି ରାଷ୍ଟ୍ରପତି ଲୋକଭବନରେ ଜଳପାନ କରିଥିଲେ। ସକାଳ ୯ଟା ୧୫ ମିନିଟରେ ସେ ଲୋକଭବନ ଛାଡ଼ି ତାଳବଣିଆ ହେଲିପ୍ୟାଡ୍କୁ ପହଞ୍ଚିବେ ଏବଂ ସେଠାରୁ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବେ।ରାଷ୍ଟ୍ରପତିଙ୍କ ଏହି ଧାର୍ମିକ ଗସ୍ତ ରାଜ୍ୟବାସୀଙ୍କ ମଧ୍ୟରେ ଏକ ଆତ୍ମିକ ଉତ୍ସାହ ସୃଷ୍ଟି କରିଛି ଏବଂ ପୁରୀ ଶ୍ରୀମନ୍ଦିରର ଗୌରବକୁ ଆହୁରି ଉଜ୍ଜ୍ୱଳ କରିଛି।

