ନ୍ୟୁଜ ଡେକ୍ସ : ଗିଗ୍ ଓ ପ୍ଲାଟଫର୍ମ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ଲାଗୁ କରିବା ଦାବି ଏବେ ଜାତୀୟ ମୁଦ୍ଦାରେ ପରିଣତ ହୋଇଛି। ଏହି ପ୍ରସଙ୍ଗକୁ ଆଉ ଅଧିକ ଜୋରଦାର କରି, ଚଳିତ ମାସ ୭ ତାରିଖ ଶନିବାର ଦିନ ଓଲା, ଉବର୍ ଓ ରାପିଡୋ ପରି ଅନ୍ଲାଇନ୍ ଟ୍ୟାକ୍ସି ଏବଂ ବାଇକ୍ ଟ୍ୟାକ୍ସି ପ୍ଲାଟଫର୍ମରେ କାମ କରୁଥିବା ଗିଗ୍ ଓ ପ୍ଲାଟଫର୍ମ ଶ୍ରମିକମାନେ ୬ ଘଣ୍ଟାର ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି।
ତେଲେଙ୍ଗାନା ଗିଗ୍ ଆଣ୍ଡ୍ ପ୍ଲାଟଫର୍ମ ୱାର୍କର୍ସ ୟୁନିୟନ୍ ପକ୍ଷରୁ ଏହି ଧର୍ମଘଟ ସମ୍ପର୍କରେ ସୂଚନା ଦିଆଯାଇଛି। ସଂଘର କହିବା ଅନୁସାରେ, ମୋଟର ଯାନ ଏଗ୍ରିଗେଟର୍ ଗାଇଡ୍ଲାଇନ୍–୨୦୨୫ ରହିଥିବା ସତ୍ତ୍ୱେ ମଧ୍ୟ ପ୍ଲାଟଫର୍ମଗୁଡ଼ିକ ଚାଳକଙ୍କ ପାଇଁ ନ୍ୟାୟସଙ୍ଗତ ମଜୁରି ଧାର୍ଯ୍ୟ କରୁନାହାନ୍ତି। ଅନେକ ସମୟରେ ଏହି କମ୍ପାନୀଗୁଡ଼ିକ ନିଜମନ୍ତ୍ରଣାରେ ଭାଡ଼ା ଓ କମିଶନ୍ ଧାର୍ଯ୍ୟ କରି, ଶ୍ରମିକଙ୍କ ଆୟକୁ ଗଭୀର ଭାବେ ପ୍ରଭାବିତ କରୁଛନ୍ତି।ଧର୍ମଘଟ ଦିନ ଚାଳକମାନେ ୬ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ଅଫଲାଇନ୍ ରହିବେ। ଏହି ସମୟରେ ଲୋକେ ଓଲା, ଉବର୍ କିମ୍ବା ରାପିଡୋ ମାଧ୍ୟମରେ କୌଣସି ଗାଡ଼ି ବୁକିଂ କରିପାରିବେ ନାହିଁ।
ଫଳରେ ସହର ଓ ମହାନଗରଗୁଡ଼ିକରେ ଯାତାୟାତ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସଂଘ ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି ଯେ ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ସର୍ବନିମ୍ନ ମଜୁରିକୁ ଆଇନଗତ ଭାବେ ଲାଗୁ କରିବା ଦରକାର। ଏହା ସହିତ ଘରୋଇ ପଞ୍ଜୀକୃତ ଗାଡ଼ିଗୁଡ଼ିକୁ ବାଣିଜ୍ୟିକ ଭାବେ ଅପବ୍ୟବହାର କରାଯାଉଥିବା ଘଟଣାକୁ ରୋକିବା ପାଇଁ ମଧ୍ୟ କଠୋର ପଦକ୍ଷେପ ନେବାକୁ ସଂଘ ଆହ୍ୱାନ ଜଣାଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ୩୧ ତାରିଖରେ ଖାଦ୍ୟ ଡିଲିଭରି ସହିତ ଜଡିତ ଗିଗ୍ ଓ ପ୍ଲାଟଫର୍ମ ଶ୍ରମିକମାନେ ଧର୍ମଘଟ କରିଥିଲେ, ଯାହା ଦେଶବ୍ୟାପୀ ଚର୍ଚ୍ଚାରେ ଆସିଥିଲା। ତାହାର କେବଳ ଗୋଟିଏ ମାସ ପରେ ଏବେ ଅନ୍ଲାଇନ୍ ଗାଡ଼ି ଚାଳକମାନେ ମଧ୍ୟ ଧର୍ମଘଟର ରାସ୍ତା ବାଛିଛନ୍ତି, ଯାହାର ପ୍ରଭାବ ଆଗାମୀ ଦିନରେ ଦେଶର ଗିଗ୍ ଅର୍ଥନୀତି ଉପରେ ଗଭୀର ହୋଇପାରେ।

