ନ୍ୟୁଜ ଡେକ୍ସ : ହରାରେର ହରାରେ ସ୍ପୋର୍ଟ୍ସ କ୍ଲବ ଶୁକ୍ରବାର ଦିନ ଭାରତୀୟ କ୍ରିକେଟ୍ ଇତିହାସର ଗୋଟିଏ ସୁନା ଅଧ୍ୟାୟର ସାକ୍ଷୀ ହୋଇଛି। ଅଣ୍ଡର–୧୯ ପୁରୁଷ ବିଶ୍ୱକପ୍ ୨୦୨୬ ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହାରାଇ ୪୧୧ ରନର ବିଶାଳ ସ୍କୋର ତିଆରି କରିଛି ଏବଂ ଇଂଲଣ୍ଡକୁ ୪୧୨ ରନର ଦୁର୍ଦ୍ଧର୍ଷ ଲକ୍ଷ୍ୟ ଦେଇଛି।ଏହି ରେକର୍ଡ ସ୍କୋରର ମୁଖ୍ୟ ନାୟକ ଥିଲେ ୧୪ ବର୍ଷୀୟ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ।
ଅତ୍ୟଧିକ ଆତ୍ମବିଶ୍ୱାସ ଓ ଆକ୍ରମଣାତ୍ମକ ଶୈଳୀରେ ସେ ଇଂଲଣ୍ଡ ବୋଲରମାନଙ୍କୁ ଅସହାୟ କରି ୮୦ ବଲରେ ୧୫ ଚୌକା ଓ ୧୫ ଛକା ସହ ୧୭୫ ରନ ଧୁଆଁଧାର ଇନିଂସ ଖେଳିଥିଲେ। ବିଶେଷ କଥା ହେଉଛି, ସେ ମାତ୍ର ୫୫ ବଲରେ ନିଜ ଶତକ ପୂରଣ କରି ଅଣ୍ଡର–୧୯ ବିଶ୍ୱକପ୍ ଫାଇନାଲରେ ସବୁଠାରୁ ତେଜ ଶତକର ଐତିହାସିକ ରେକର୍ଡ ନିଜ ନାମରେ ଲେଖାଇଛନ୍ତି। ବୈଭବଙ୍କ ସହ କ୍ୟାପ୍ଟେନ ଆୟୁଷ ମାହାତ୍ରେ ମଧ୍ୟ ଦାୟିତ୍ୱଶୀଳ ଭୂମିକା ନେଇ ୫୦ ବଲରେ ୫୩ ରନ କରିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ଦୃଢ଼ ଓ ଦ୍ରୁତ ଭାଗୀଦାରୀ ଭାରତୀୟ ଇନିଂସକୁ ଦୂର୍ଦାନ୍ତ ଗତି ଦେଇଥିଲା। ଏହା ପରେ ମଧ୍ୟକ୍ରମରେ ବିହାନ ମାଲହୋତ୍ରା (୩୦), ବେଦାନ୍ତ ତ୍ରିବେଦୀ (୩୨) ଓ ଅଭିଜ୍ଞାନ କୁଣ୍ଡୁ (୪୦) ଉପଯୋଗୀ ରନ ଯୋଗ କରି ସ୍କୋରକୁ ୪୦୦ ପାର କରିବାରେ ସହାୟତା କରିଥିଲେ।
ଇନିଂସର ଶେଷ ଓଭରଗୁଡ଼ିକରେ କିଛି ୱିକେଟ୍ ଶୀଘ୍ର ହାରାଇଥିଲେ ମଧ୍ୟ ଭାରତୀୟ ଦଳ ନିଜ ଆକ୍ରମଣାତ୍ମକ ମନୋଭାବ ଜାରି ରଖି ୪୧୧ ରନର ମହାନ ସ୍କୋର ତିଆରି କରିପାରିଥିଲା।ଲଗାତାର ଷଷ୍ଠ ଥର ଓ ସମୁଦାୟ ୧୦ମ ଥର ପାଇଁ ଅଣ୍ଡର–୧୯ ବିଶ୍ୱକପ୍ ଫାଇନାଲ ଖେଳୁଥିବା ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ନିଜର ଷଷ୍ଠ ବିଶ୍ୱକପ୍ ଟାଇଟଲ୍ ହାସଲ କରିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ, ୧୯୯୮ ପରେ ଦ୍ୱିତୀୟ ଥର ଟାଇଟଲ୍ ଜିତିବା ଆଶା ନେଇ ଇଂଲଣ୍ଡ ୪୧୨ ରନର ଏହି ଦୁର୍ଦ୍ଧର୍ଷ ଲକ୍ଷ୍ୟ ପଛୁଆ କରିବାକୁ ମାଇଦାନକୁ ଓହ୍ଲାଇଛି। ମ୍ୟାଚ୍ର ଫଳାଫଳ ଯାହାହେଉ, ଭାରତୀୟ ଯୁବ ଦଳର ଏହି ବ୍ୟାଟିଂ ପ୍ରଦର୍ଶନ ଦୀର୍ଘଦିନ ଧରି କ୍ରିକେଟ୍ ପ୍ରେମୀମାନଙ୍କ ସ୍ମୃତିରେ ରହିବ।

