ନ୍ୟୁଜ ଡେକ୍ସ : ଶନିବାରଠାରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆରମ୍ଭ ହେବ ମହା ଉତ୍ସବ। ଦଶମ ସଂସ୍କରଣର ଟ୍ବେଣ୍ଟି-୨୦ ବିଶ୍ବକପ୍ ଶନିବାରରୁ ଭାରତ ଓ ଶ୍ରୀଲଙ୍କାରେ ଆରମ୍ଭ ହେଉଛି। ଏହି ଫଟାଫଟ୍ କ୍ରିକେଟ୍ ମହାକୁମ୍ଭରେ ଭାରତୀୟ ପୁରୁଷ ଦଳ ନିଜର ବିଶ୍ବ ଖିତାବକୁ ବଜାୟ ରଖିବା ପାଇଁ ମାଇଦାନକୁ ଓହ୍ଲାଇବ। ଘରେଇ ପରିବେଶ ଓ ଦର୍ଶକଙ୍କ ସମର୍ଥନ ଭାରତୀୟ ଦଳକୁ ଅଧିକ ଉତ୍ସାହ ଦେବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମନେ କରୁଛନ୍ତି।
ଉଦ୍ଘାଟନୀ ଦିନରେ ଭାରତ ଓ ଶ୍ରୀଲଙ୍କାର ତିନିଟି ସହରରେ ମୋଟ ତିନୋଟି ରୋମାଞ୍ଚକର ମ୍ୟାଚ୍ ଖେଳାଯିବ। ଶ୍ରୀଲଙ୍କାର କଲମ୍ବୋରେ ପୂର୍ବାହ୍ନ ୧୧ଟାରେ ଗ୍ରୁପ୍–ଏରେ ପାକିସ୍ତାନ ଓ ନେଦରଲାଣ୍ଡ୍ସ ମଧ୍ୟରେ ମୁକାବିଲା ହେବ। ତାପରେ ଅପରାହ୍ନ ୩ଟାରେ କୋଲକାତାରେ ଗ୍ରୁପ୍–ସିର ଏକ ଆକର୍ଷଣୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ସହ ସ୍କଟଲାଣ୍ଡ ମୁହାଁମୁହିଁ ହେବେ।ଶନିବାରର ସବୁଠାରୁ ବଡ଼ ଆକର୍ଷଣ ହେବ ମୁମ୍ବାଇର ରାତି ୭ଟାର ମ୍ୟାଚ୍। ଏଠାରେ ଆୟୋଜକ ଭାରତ ଆମେରିକା (ୟୁଏସଏ) ସହ ମୁକାବିଲା କରିବ। ଘରେଇ ଦର୍ଶକଙ୍କ ସମ୍ମୁଖରେ ଭାରତୀୟ ଦଳର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ ମ୍ୟାଚ୍ ହେବ। ଏଥର ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ତେବେ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ କିଛି ବିବାଦ ମଧ୍ୟ ଉପଜିଛି।
ବାଂଲାଦେଶ ବିତାଡ଼ିତ ହେବା ଏବଂ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିଥିବା ଘଟଣା ଆଗାମୀ ଦିନରେ ପ୍ରତିଯୋଗିତାକୁ ଅଧିକ ଚର୍ଚ୍ଚାରେ ରଖିପାରେ।ମାର୍ଚ୍ଚ ୮ ତାରିଖରେ ଫାଇନାଲ୍ ମ୍ୟାଚ୍ ସହ ଏହି ବିଶ୍ବକପ୍ ଶେଷ ହେବ। ଗତ ସଂସ୍କରଣର ବିଜେତା ଥିବା ଭାରତ ଘରେଇ ପରିବେଶର ଲାଭ ନେଇ ପୁନର୍ବାର ଟ୍ରଫି ଜିତିବାକୁ ଦୃଢ଼ ସଂକଳ୍ପ ନେଇଛି। କ୍ରିକେଟ୍ ପ୍ରେମୀମାନେ ଆଶା କରୁଛନ୍ତି, ଏହି ବିଶ୍ବକପ୍ ରୋମାଞ୍ଚ, ରେକର୍ଡ ଓ ନୂଆ ଇତିହାସର ସାକ୍ଷୀ ହେବ।

