ନ୍ୟୁଜ ଡେକ୍ସ : ଟି–୨୦ ବିଶ୍ୱକପରେ ଭାରତ ତାହାର ଅଭିଯାନ ଏକ ଦମଦାର ବିଜୟ ସହ ଆରମ୍ଭ କରିଛି। ‘ଗ୍ରୁପ–ଏ’ର ଓପନିଂ ମ୍ୟାଚରେ ଟିମ୍ ଇଣ୍ଡିଆ ଆମେରିକାକୁ ୨୯ ରନରେ ପରାସ୍ତ କରି ନିଜର ଶକ୍ତିଶାଳୀ ଦାବି ଦେଖାଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅପୂର୍ବ ଅର୍ଦ୍ଧଶତକ ଏବଂ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଭାରତକୁ ଏହି ମ୍ୟାଚରେ ଗୌରବମୟ ବିଜୟ ଦେଇଛି।
ମ୍ୟାଚରେ ଆମେରିକା ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କିନ୍ତୁ ଭାରତୀୟ ଇନିଂସର ଆରମ୍ଭ ଖୁବ ଭଲ ହୋଇନଥିଲା। ଓପନର ଅଭିଷେକ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ଫେରିଯାଇଥିଲେ। ଇଷାନ କିଷାନ ୨୦ ରନ ଓ ତିଲକ ବର୍ମା ୨୫ ରନ କରି କିଛି ଆଶା ଜଗାଇଥିଲେ ମଧ୍ୟ ଦଳକୁ ଦୃଢ଼ ଭିତି ଦେଇପାରିନଥିଲେ।ଏହାପରେ ଶିବମ ଦୁବେ (୦), ରିଙ୍କୁ ସିଂ (୬), ହାର୍ଦ୍ଦିକ ପାଣ୍ଡ୍ୟା (୫) ଓ ଅକ୍ଷର ପଟେଲ (୧୪) ଏକ ପରେ ଏକ ଆଉଟ୍ ହେବାରୁ ଭାରତୀୟ ବ୍ୟାଟିଂ ପୂରାପୁରି ଚାପରେ ପଡ଼ିଯାଇଥିଲା। ମୁହୂର୍ତ୍ତକୁ ମୁହୂର୍ତ୍ତ ମ୍ୟାଚ ଆମେରିକା ପକ୍ଷରେ ଯାଉଛି ବୋଲି ଲାଗୁଥିଲା।
କିନ୍ତୁ ଏହି ସମୟରେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ଦଳର ଦାୟିତ୍ୱ ନିଜ କାନ୍ଧରେ ନେଇ ଅପୂର୍ବ ଇନିଂସ ଖେଳିଥିଲେ। ସେ ଏକ ପାର୍ଶ୍ୱ ଧରି ରହି ୪୯ ବଲରେ ଅପରାଜିତ ୮୪ ରନ କରିଥିଲେ। ତାଙ୍କର ଏହି ଅର୍ଦ୍ଧଶତକୀୟ ଇନିଂସ ଭାରତୀୟ ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ନେଇଯାଇଥିଲା। ତାଙ୍କର ଆକ୍ରମଣାତ୍ମକ ଶଟ୍ଗୁଡ଼ିକ ଦର୍ଶକଙ୍କୁ ଖୁବ ଆନନ୍ଦିତ କରିଥିଲା।୨୦ ଓଭରରେ ଭାରତ ୧୬୨ ରନ କରି ଆମେରିକା ସମ୍ମୁଖରେ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଥିଲା।
ଲକ୍ଷ୍ୟ ଧାଉଥିବା ଆମେରିକା ଦଳ ଭାରତୀୟ ବୋଲରଙ୍କ ସାମ୍ନାରେ ଟିକିପାରିନଥିଲା। ମହମ୍ମଦ ସିରାଜ ଶାଣିତ ବୋଲିଂ କରି ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ। ଅନ୍ୟ ବୋଲରମାନେ ମଧ୍ୟ ଶୃଙ୍ଖଳିତ ବୋଲିଂ କରି ଆମେରିକାକୁ ୨୦ ଓଭରରେ ୧୩୨ ରନରେ ସୀମିତ ରଖିଥିଲେ।ଫଳସ୍ୱରୂପ ଭାରତ ୨୯ ରନରେ ମ୍ୟାଚ ଜିତି ଟି–୨୦ ବିଶ୍ୱକପରେ ନିଜର ଅଭିଯାନକୁ ଶୁଭ ଆରମ୍ଭ ଦେଇଛି। ସୂର୍ଯ୍ୟକୁମାରଙ୍କ ଦମଦାର ବ୍ୟାଟିଂ ଓ ସିରାଜଙ୍କ ଘାତକ ବୋଲିଂ ଭାରତୀୟ ଦଳକୁ ଆଗାମୀ ମ୍ୟାଚଗୁଡ଼ିକ ପାଇଁ ଆତ୍ମବିଶ୍ୱାସ ଯୋଗାଇଛି।

