ନ୍ୟୁଜ ଡେକ୍ସ : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ଗୁରୁତର ପ୍ରଶ୍ନ ଉଠିଛି। ମାଟ୍ରିକ ପରୀକ୍ଷାକୁ ମାତ୍ର ୧୦ ଦିନ ଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପୋଷାକ ମିଳିନଥିବା ଅଭିଯୋଗ ଆସିଛି। ଗ୍ରାଉଣ୍ଡ ଜିରୋରୁ ସତ୍ୟ ଚିତ୍ର ଆସିବା ପରେ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗିଥିବା ପରି ଲାଗୁଛି। ମାସମାସ ଧରି ପୋଷାକ ବଣ୍ଟା ନକରି ନିରବ ଥିବା ଅଧିକାରୀମାନେ ଏବେ ତରବରିଆ ଭାବେ ବୈଠକ କରି ତୁରନ୍ତ ବଣ୍ଟା ନିର୍ଦ୍ଦେଶ ଦେଇଛନ୍ତି।
ରବିବାର ଜୁମ୍ କଲ୍ ମାଧ୍ୟମରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ପ୍ରଧାନଶିକ୍ଷକ, ବିଇଓ, ବିଆରସିସି ଓ ଭେଣ୍ଡରଙ୍କୁ ତୁରନ୍ତ ପୋଷାକ ବଣ୍ଟା କରିବା ପାଇଁ ଚାପ ଦେଇଥିଲେ। ହେଲେ ଏହି ହଠାତ୍ ନିର୍ଦ୍ଦେଶରେ ଭେଣ୍ଡରମାନେ ଭୟଙ୍କର ଅସୁବିଧାରେ ପଡ଼ିଛନ୍ତି। ଏତେ ଅଳ୍ପ ସମୟରେ ପୋଷାକ କେଉଁଠୁ ଏବଂ କିପରି ଆଣି ବଣ୍ଟା କରିବେ, ସେନେଇ ସେମାନେ ଚିନ୍ତାଗ୍ରସ୍ତ। କିଛି ଭେଣ୍ଡର ସିଧାସଳଖ ପ୍ରଶ୍ନ କରିଛନ୍ତି – “ତିନି ମାସ ଧରି କାହିଁକି ପୋଷାକ ବଣ୍ଟା ଉପରେ ଗୁରୁତ୍ୱ ଦିଆଯାଇନଥିଲା?” ଅନ୍ୟପଟେ, ଦଶମ ଶ୍ରେଣୀ ପରୀକ୍ଷା ସମ୍ମୁଖୀନ ହୋଇଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କ ମଧ୍ୟରେ ଭାରି ଅସନ୍ତୋଷ ଦେଖାଦେଇଛି। ପରୀକ୍ଷା ପୂର୍ବରୁ ନୂଆ ପୋଷାକ ପାଇବା ତାଙ୍କର ଏକ ମୌଳିକ ଆବଶ୍ୟକତା ହେଲେ ବି, ଏହାକୁ ନେଇ ଅବହେଳା ହେଉଥିବା ଅଭିଯୋଗ ହେଉଛି।ବୁଦ୍ଧିଜୀବୀମାନଙ୍କ ଅଭିଯୋଗ ଅନୁସାରେ, ପିଲାଙ୍କ ପୋଷାକ ପାଇଁ କେନ୍ଦ୍ରାପଡା ଜିଲ୍ଲାକୁ ଆସିଥିବା ପ୍ରାୟ ୭ କୋଟି ଟଙ୍କାର ବଡ଼ ଅଂଶକୁ ବାବୁ ଓ ତାଙ୍କ ସହଯୋଗୀମାନେ ଅନ୍ୟତ୍ର ବ୍ୟବହାର କରିଦେବା ପାଇଁ ଯୋଜନା କରିଥିଲେ।
ଯଦି ଏହି ଅଭିଯୋଗ ସତ୍ୟ ସାବିତ ହୁଏ, ତେବେ ଏହା ଏକ ଗଭୀର ଦୁର୍ନୀତି ଘଟଣା ଭାବେ ଗଣ୍ୟ ହେବ।ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏବେ ବି ପୋଷାକ ବଣ୍ଟା ଚାଲିଥିବା ଖବର ଆସିଥିବାରୁ, ସମଗ୍ର ଗଣଶିକ୍ଷା ବିଭାଗର ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ଗତ ବଜେଟରେ ମୁଖ୍ୟମନ୍ତ୍ରୀ ସ୍କୁଲ ୟୁନିଫର୍ମ ପାଇଁ ୧୦୮ କୋଟି ଟଙ୍କା ବ୍ୟୟବରାଦ ଦେଇଥିବା ସତ୍ତ୍ୱେ ଏପରି ଅବ୍ୟବସ୍ଥା ଓ ଦୁର୍ନୀତିର ଅଭିଯୋଗ ରାଜ୍ୟ ସରକାରଙ୍କ ପାଇଁ ଗଭୀର ଚିନ୍ତାର ବିଷୟ ହୋଇଉଠିଛି।

