Sun. Feb 22nd, 2026

ନ୍ୟୁଜ ଡେକ୍ସ : କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଫୁଲବଡ଼ିର ମୁଖ୍ୟ ସାମଗ୍ରୀ ‘ପେଯୁଆ ବିରି’କୁ ଜିଆଇ (Geographical Indication) ଟ୍ୟାଗ୍ ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଦିଗରେ ଗବେଷଣା କରୁଥିବା ଜୁଡ଼ିଆସ୍ଥିତ ରିଜିଓନାଲ ରିସର୍ଚ୍ଚ ଆଣ୍ଡ ଟ୍ରାନ୍ସଫର ଟେକ୍ନୋଲୋଜି ଷ୍ଟେସନ (ଆର୍ଆର୍ଟିଟିଏସ୍) ପକ୍ଷରୁ ସମ୍ପୂର୍ଣ୍ଣ ଦସ୍ତାବିଜ୍ ଓଡ଼ିଶା ୟୁନିଭର୍ସିଟି ଅଫ୍ ଆଗ୍ରିକଲଚର ଏଣ୍ଡ ଟେକ୍ନୋଲୋଜି (OUAT) ନିକଟରେ ଦାଖଲ କରାଯାଇଛି।

ଓୟୁଏଟି ପକ୍ଷରୁ ଏହି ଉତ୍ପାଦକୁ ଜିଆଇ ଟ୍ୟାଗ୍ ମିଳିବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।କେନ୍ଦୁଝର ଜିଲ୍ଲାର ଫୁଲବଡ଼ି ସାରା ଓଡ଼ିଶାରେ ବେଶ ପରିଚିତ। ଏହାର ଅଦ୍ୱିତୀୟ ସ୍ୱାଦର ମୁଖ୍ୟ କାରଣ ହେଉଛି ‘ପେଯୁଆ ବିରି’। ଏହି ବିଶେଷ ପ୍ରଜାତିର ବିରି କେନ୍ଦୁଝର ଜିଲ୍ଲା ବ୍ୟତୀତ ଅନ୍ୟ କୌଣସି ଅଞ୍ଚଳରେ ପ୍ରାୟ ଚାଷ ହୁଏନାହିଁ। ସାଧାରଣ ବିରି ତୁଳନାରେ ଏହାରୁ ଅଧିକ ଫେଣ ହୁଏ, ଯାହା ଫୁଲବଡ଼ିକୁ ଅଧିକ ନରମ ଓ ସୁସ୍ବାଦୁ କରେ।ଦୁଇ ବର୍ଷ ପୂର୍ବେ ତତ୍କାଳୀନ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା କେନ୍ଦୁଝର କୃଷି ଫାର୍ମ ଗସ୍ତ କରି ପେଯୁଆ ବିରି ଉପରେ ଅଧିକ ଗବେଷଣା କରିବାକୁ ବୈଜ୍ଞାନିକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ଦିଗରେ ଗବେଷଣା ଜୋରଦାର ହୋଇଥିଲା ଏବଂ ବିଭିନ୍ନ ନମୁନା ସଂଗ୍ରହ କରାଯାଇ ବିଶ୍ଲେଷଣ କରାଯାଇଛି। ବିଶେଷକରି ଜୁଆଙ୍ଗ ଜନଜାତି ବସୋବାସ କରୁଥିବା ଅଞ୍ଚଳରେ ପେଯୁଆ ବିରିର ଚାଷ ହୁଏ। ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ଅଞ୍ଚଳର ଜଳବାୟୁ ଏହି ବିରି ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ଗବେଷକମାନେ କହିଛନ୍ତି।

ବର୍ତ୍ତମାନ ପ୍ରତିବର୍ଷ ବାଂଶପାଳ ବ୍ଲକରେ ୮୦ରୁ ୧୨୦ ଏକର ଜମିରେ ଏହି ଚାଷ ହେଉଛି ଏବଂ ୩ରୁ ୪ ମାସ ମଧ୍ୟରେ ଏହାର ଅମଳ ହୁଏ।ତଥାପି, ଅନ୍ୟ ସଙ୍କର ଜାତୀୟ ବିରି ତୁଳନାରେ ଏହାର ଉତ୍ପାଦନ କମ୍ ହେଉଥିବାରୁ ଅନେକ ଚାଷୀ ଏହାକୁ ଚାଷ କରିବାରେ ଅମଙ୍ଗ। ଗତ କିଛି ବର୍ଷ ହେବ ତେଲକୋଇ ଓ ହରିଚନ୍ଦନପୁର ଅଞ୍ଚଳରେ ଏହି ଚାଷ ହ୍ରାସ ପାଇଛି, ଯାହା ପେଯୁଆ ବିରିର ଭବିଷ୍ୟତ ପାଇଁ ଚିନ୍ତାଜନକ।ଏହି ପରିସ୍ଥିତିରେ ଜିଆଇ ଟ୍ୟାଗ୍ ମିଳିଲେ ‘ପେଯୁଆ ବିରି’କୁ ଆଇନଗତ ସୁରକ୍ଷା ଓ ବଜାରୀକରଣର ନୂଆ ଅବସର ମିଳିବ। ଏହା ଦ୍ୱାରା ଚାଷୀମାନେ ଉତ୍ସାହିତ ହେବେ, ଚାଷ ଆଉ ବ୍ୟାପକ ହେବ ଏବଂ କେନ୍ଦୁଝରର ପାରମ୍ପରିକ ଫୁଲବଡ଼ି ଓ ଏହାର ମୂଳ ସାମଗ୍ରୀ ପେଯୁଆ ବିରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ପାଇବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *