ନ୍ୟୁଜ ଡେକ୍ସ : ରାଜ୍ୟର ଯୁକ୍ତ୨ ପରୀକ୍ଷା ଆଗାମୀ ଫେବ୍ରୁଆରି ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ୨୩ଟି ସିଟିଂରେ ଅନୁଷ୍ଠିତ ହେବ। ହାତରେ ଆଉ କମ୍ ସମୟ ଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।ପରୀକ୍ଷା ସଫଳ ଭାବେ ସମ୍ପନ୍ନ କରିବାକୁ କେନ୍ଦ୍ରୀୟ ସ୍କ୍ୱାଡ୍ ଓ ପର୍ଯ୍ୟବେକ୍ଷକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି।
ସେମାନଙ୍କୁ ନିଜ ମୂଳ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କମ୍ପୋଜିଟ୍ କଲେଜ, ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ଓ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍ ପରିବହନ ସମୟରେ କଡା ପୁଲିସ ସୁରକ୍ଷା ରହିବ। ହବ୍ ଓ ପରୀକ୍ଷା କେନ୍ଦ୍ରଗୁଡ଼ିକର ସୁରକ୍ଷା ଦାୟିତ୍ବ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଦିଆଯାଇଛି। ପ୍ରତ୍ୟେକ ହବ୍ରୁ ପର୍ଯ୍ୟବେକ୍ଷକ ଜରିଆରେ ପୁଲିସ ସୁରକ୍ଷା ସହ ପ୍ରଶ୍ନପତ୍ର ପ୍ୟାକେଟ୍ ପରୀକ୍ଷା କେନ୍ଦ୍ରକୁ ପଠାଯିବ ଏବଂ ପରୀକ୍ଷା ଦିନ ସକାଳ ୮ଟା ୩୦ ମିନିଟ୍ ଭିତରେ ସେଗୁଡ଼ିକ କେନ୍ଦ୍ରରେ ପହଞ୍ଚିବ।ସକାଳ ୯ଟା ୩୦ରେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ, ହବ୍ ପର୍ଯ୍ୟବେକ୍ଷକ, ପରୀକ୍ଷା ନିରୀକ୍ଷକ ଓ ଜିଲ୍ଲା ପ୍ରଶାସନ ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବ।
ପ୍ରଶ୍ନପତ୍ରଗୁଡ଼ିକ ସିଲ୍ ଥିବା ଲଫାପାରେ ପରୀକ୍ଷା ହଲ୍କୁ ପଠାଯିବ ଓ ବଣ୍ଟନ ପରେ ବଳକା ପ୍ରଶ୍ନପତ୍ରଗୁଡ଼ିକୁ ପୁନର୍ବାର ସିଲ୍ କରି ସୁରକ୍ଷିତ ରଖାଯିବ।ପରୀକ୍ଷାର୍ଥୀମାନେ ପରୀକ୍ଷା ଆରମ୍ଭର ଅଧା ଘଣ୍ଟା ପୂର୍ବରୁ ହଲ୍ଭିତରକୁ ପ୍ରବେଶ କରିପାରିବେ ଏବଂ ଅତିକମରେ ୧୫ ମିନିଟ୍ ପୂର୍ବରୁ ନିଜ ନିର୍ଦ୍ଧାରିତ ସିଟ୍ରେ ବସିବାକୁ ପଡ଼ିବ। ପରୀକ୍ଷା ଶେଷ ଘଣ୍ଟି ବାଜିବା ପୂର୍ବରୁ କୌଣସି ପରୀକ୍ଷାର୍ଥୀ କେନ୍ଦ୍ର ଛାଡ଼ିଲେ ସେମାନଙ୍କୁ ପ୍ରଶ୍ନପତ୍ର ବାହାରକୁ ନେବାକୁ ଅନୁମତି ମିଳିବ ନାହିଁ।
ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅନୁଯାୟୀ ପରୀକ୍ଷା କାର୍ଯ୍ୟ ସହ ସଂପୃକ୍ତ ନଥିବା କୌଣସି ବ୍ୟକ୍ତିଙ୍କୁ ପରୀକ୍ଷା ହଲ୍ କିମ୍ବା ଆଖପାଖ ଅଞ୍ଚଳକୁ ପ୍ରବେଶ ମନା କରାଯାଇଛି। ନିୟମ ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।ଏବର୍ଷ ୨୧୧ଟି ପରୀକ୍ଷା ପରିଚାଳନା ହବ୍ ଅଧୀନରେ ୧୯୦୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ୪ ଲକ୍ଷ ୧ ହଜାର ୬୩୨ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ। ପରିଷଦ ପକ୍ଷରୁ ସମସ୍ତ ପରୀକ୍ଷାକୁ ନିର୍ବିଘ୍ନ, ପାରଦର୍ଶୀ ଓ ସୁଚାରୁ ଭାବେ ସମ୍ପନ୍ନ କରିବାକୁ ପୂର୍ଣ୍ଣ ପ୍ରସ୍ତୁତି ନିଆଯାଇଛି।

