ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳର ଝିଅ ଜ୍ୟୋତିର୍ମୟୀ ନାୟକ ଜାତୀୟ ସ୍ତରର ସଂଗୀତ ପ୍ରତିଯୋଗିତା ‘ଇଣ୍ଡିଆନ୍ ଆଇଡଲ୍’ର ଫାଇନାଲ୍ରେ ପ୍ରବେଶ କରି ସାରା ଓଡ଼ିଶାକୁ ଗର୍ବିତ କରିଛନ୍ତି। ତାଙ୍କ ଏହି ଐତିହାସିକ ସଫଳତା ପରେ ନୀଳଗିରି ସହିତ ସମଗ୍ର ବାଲେଶ୍ୱର ଜିଲ୍ଲାରେ ଖୁସିର ଲହର ବହିଯାଇଛି।
ଜ୍ୟୋତିର୍ମୟୀଙ୍କ ସଫଳତା ପାଇଁ ତାଙ୍କ ପରିବାର ଲୋକେ ମନ୍ଦିରରେ ଅଖଣ୍ଡ ଦୀପ ଜାଳି ପୂଜାର୍ଚ୍ଚନା କରିଛନ୍ତି ଓ ଭଗବାନଙ୍କ ନିକଟରେ ତାଙ୍କ ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି। ସେମାନେ କହିଛନ୍ତି ଯେ, ଝିଅ ଫାଇନାଲ୍ ଜିତି ବିଜୟ ମୁକୁଟ ପିନ୍ଧି ଘରକୁ ଫେରି ଭଗବାନଙ୍କ ଦର୍ଶନ କରୁ ଏହା ହେଉଛି ସେମାନଙ୍କ ସ୍ୱପ୍ନ।ଜ୍ୟୋତିର୍ମୟୀ ତାଙ୍କ ମଧୁର ସ୍ୱର ଓ ସୁନ୍ଦର ଗାୟନ ଶୈଳୀ ମାଧ୍ୟମରେ ଜାତୀୟ ସ୍ତରରେ ଓଡ଼ିଶା ଓ ନୀଳଗିରିର ନାମକୁ ଉଜ୍ଜ୍ୱଳ କରିଛନ୍ତି।
ତାଙ୍କ ସଫଳତାକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ତାଙ୍କ ଏକ୍ସ (X) ଆକାଉଣ୍ଟରେ ଜ୍ୟୋତିର୍ମୟୀଙ୍କୁ ଶୁଭେଛା ଜଣାଇ କହିଛନ୍ତି ଯେ, ସେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସୁନ୍ଦର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ରାଜ୍ୟର ଅଗଣିତ ଯୁବ ପ୍ରତିଭାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଏହା ସହିତ ବାଲେଶ୍ୱର ସାଂସଦ ମଧ୍ୟ ତାଙ୍କୁ ଶୁଭେଛା ଜଣାଇ ତାଙ୍କ ଭବିଷ୍ୟତ ସଫଳତା କାମନା କରିଛନ୍ତି। ଜ୍ୟୋତିର୍ମୟୀଙ୍କ ଏହି ଉପଲବ୍ଧି ନ କେବଳ ତାଙ୍କ ପରିବାର ପାଇଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ହୋଇଛି।

