ନ୍ୟୁଜ ଡେକ୍ସ : ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଅତ୍ୟନ୍ତ ପବିତ୍ର ଓ ଗୁପ୍ତ ବନକଲାଗି ନୀତି ପାଳିତ ହେବ। ଏହି ବିଶେଷ ନୀତି ଅନୁଷ୍ଠାନ ସମୟରେ ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ସିଂହାର କରିବେ ଓ ଶ୍ରୀଅଙ୍ଗର ସୌନ୍ଦର୍ୟ ଓ ଶ୍ରୀବୃଦ୍ଧି ପାଇଁ ପାରମ୍ପରିକ ରସାୟନ ଲାଗାଇବେ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଇଦିଆଯାଇଛି ଯେ, ଅପରାହ୍ଣ ସମୟରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସମାପ୍ତ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ। ଏହି ସମୟରେ ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁମାନଙ୍କର ଶ୍ରୀମୁଖ ସିଂହାର କରିବେ।ବନକଲାଗି ନୀତି ପାଇଁ ପାରମ୍ପରିକ ଭାବେ ହିଙ୍ଗୁଳ, ହରିତାଳ, ଶଙ୍ଖ ଚୂର୍ଣ୍ଣ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ପରି ବିଭିନ୍ନ ପ୍ରାକୃତିକ ଦ୍ରବ୍ୟ ବ୍ୟବହାର କରାଯାଏ।
ଏହାଦ୍ୱାରା ଶ୍ରୀବିଗ୍ରହମାନଙ୍କର ଶ୍ରୀଅଙ୍ଗର ସୁରକ୍ଷା ଓ ଶ୍ରୀବୃଦ୍ଧି ଘଟିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।ଏହି ନୀତିଟି ମହାପ୍ରଭୁଙ୍କ ଗୁପ୍ତ ନୀତି ହେଉଥିବାରୁ ସାଧାରଣ ଭକ୍ତଙ୍କ ପାଇଁ ଅପରାହ୍ଣ ସମୟରେ ଦର୍ଶନ ଉପରେ କଟକଣା ଲାଗୁ ହେବ। କିଛି ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ ଏହି ସୂଚନା ଧ୍ୟାନରେ ରଖି ଦର୍ଶନ ପାଇଁ ଆସିବାକୁ ଅନୁରୋଧ କରିଛି, ଯାହା ଫଳରେ ଅସୁବିଧା ଓ ଭିଡ଼ଭାଡ଼ରୁ ରକ୍ଷା ପାଇହେବ।

