ନ୍ୟୁଜ ଡେକ୍ସ : ରାଜ୍ୟର ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ଦିଗରେ ଓଡ଼ିଶା ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ୨୫୦ଟି ନୂଆ ଆମ୍ବୁଲାନ୍ସକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପଣ କରିଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହୋଇଥିଲା।ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨୦୨୫ ଡିସେମ୍ବର ୨୩ ତାରିଖରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପଣ କରିଥିଲେ।
ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୫୦ଟି ଆମ୍ବୁଲାନ୍ସ ସେବାରେ ସମ୍ମିଳିତ ହେବା ସହିତ ସମୁଦାୟ ୪୨୮ଟି ନୂଆ ଆମ୍ବୁଲାନ୍ସ ରାଜ୍ୟର ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାରେ ଯୋଗ ହୋଇଛି।ଏହି ନୂଆ ଆମ୍ବୁଲାନ୍ସଗୁଡ଼ିକ ମଧ୍ୟରେ ବିମାନବନ୍ଦର ପାଇଁ ୫ଟି ଏବଂ ଝାରସୁଗୁଡ଼ା ସ୍ଥିତ କାର୍ଡିଆକ୍ କେୟାର୍ ହସ୍ପିଟାଲ ପାଇଁ ୨ଟି ଅତ୍ୟାଧୁନିକ ଆଡ୍ଭାନ୍ସ୍ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସ ସମ୍ମିଳିତ ଅଛି। ପ୍ରତି ଆମ୍ବୁଲାନ୍ସ ପାଇଁ ୨୫.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହିସାବରେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି। ରାଜ୍ୟର ଆମ୍ବୁଲାନ୍ସ ବ୍ୟବସ୍ଥାରେ ବର୍ତ୍ତମାନ ୪୪୯ଟି ବେସିକ୍ ଲାଇଫ୍ ସପୋର୍ଟ (BLS) ଆମ୍ବୁଲାନ୍ସ, ୪୧୧ଟି ଆଡ୍ଭାନ୍ସ୍ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସ ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି। ଏହି ସମସ୍ତ ଆମ୍ବୁଲାନ୍ସ ମାଧ୍ୟମରେ ସାଧାରଣ ଲୋକଙ୍କୁ ହସ୍ପିଟାଲକୁ ଜରୁରୀକାଳୀନ ସ୍ଥାନାନ୍ତରଣ ସେବା ଦେୟମୁକ୍ତ ଭାବରେ ପ୍ରଦାନ କରାଯାଉଛି।ସେହିପରି ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁମାନଙ୍କ ସୁରକ୍ଷିତ ପରିବହନ ପାଇଁ ‘ଜନନୀ ଏକ୍ସପ୍ରେସ୍’ ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି।
ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ଏବଂ ଜନନୀ ଏକ୍ସପ୍ରେସ୍ ସେବା ମାଧ୍ୟମରେ ପ୍ରତିଦିନ ସାଧାରଣତଃ ୫,୦୦୦ରୁ ଅଧିକ ରୋଗୀଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।ନୂଆ ଆମ୍ବୁଲାନ୍ସଗୁଡ଼ିକୁ ପର୍ଯ୍ୟାୟକ୍ରମେ ସେବାରେ ସମ୍ମିଳିତ କରି ପୁରୁଣା ଆମ୍ବୁଲାନ୍ସଗୁଡ଼ିକୁ ବଦଳାଯିବା ସହିତ ପ୍ରତିକ୍ରିୟା ସମୟ ହ୍ରାସ ପାଇବ। ଏହା ରାଜ୍ୟର ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାକୁ ଅଧିକ ଶକ୍ତିଶାଳୀ କରିବା ସହିତ ସୁସ୍ଥ ଓଡ଼ିଶା ଏବଂ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

