ନ୍ୟୁଜ ଡେକ୍ସ : ପୁରୀ ବେଳାଭୂମିରେ ନିକଟରେ ପୁଳା ପୁଳା ସାମୁଦ୍ରିକ ଗେଣ୍ଡା ଏବଂ ସମୁଦ୍ର ଉପକୂଳରେ ଡଲଫିନମାନେ ପାଣିରେ ଖେଳୁଥିବା ଦୃଶ୍ୟ ଦେଖି ଅନେକ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି। କିଛି ଲୋକ ଏହାକୁ ଏକ ଅଶୁଭ ସଙ୍କେତ ବୋଲି ଆଶଙ୍କା କରୁଥିବା ବେଳେ, ପରିବେଶବିତ୍ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।
ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ତଥା ପରିବେଶବିତ୍ ଆକାଶ ରଞ୍ଜନ ରଥ କହିଛନ୍ତି ଯେ, ପୁରୀ ସମୁଦ୍ର ଉପକୂଳ ସାମୁଦ୍ରିକ ଜୀବଜନ୍ତୁମାନଙ୍କର ଏକ ପ୍ରାକୃତିକ ମାଇଗ୍ରେସନ ରୁଟ୍। ଏହି ଅଞ୍ଚଳ ମାଧ୍ୟମରେ ଡଲଫିନ, ସାମୁଦ୍ରିକ ଗେଣ୍ଡା ସହିତ ଅନେକ ପ୍ରକାର ସାମୁଦ୍ରିକ ପ୍ରାଣୀ ଯାତାୟାତ କରନ୍ତି। ତେଣୁ ସମୁଦ୍ର କୂଳରେ ଡଲଫିନ ଦେଖାଯିବା କିମ୍ବା ସାମୁଦ୍ରିକ ଗେଣ୍ଡା ଭାସି ଆସିବା କୌଣସି ଅସାଧାରଣ କଥା ନୁହେଁ।ସେ କହିଛନ୍ତି ଯେ, ସାମୁଦ୍ରିକ ଗେଣ୍ଡାମାନେ ବ୍ରିଡିଂ ସମୟରେ କୂଳ ଦିଗକୁ ଆସନ୍ତି, ଯାହା ପ୍ରାକୃତିକ ପ୍ରକ୍ରିୟାର ଏକ ଅଂଶ। ଏହା ପୂର୍ବରୁ ମଧ୍ୟ ଅନେକଥର ପୁରୀ ବେଳାଭୂମି ଓ ଆସପାସ ଅଞ୍ଚଳରେ ଡଲଫିନ ଦେଖାଯାଇଛନ୍ତି।
ସେହିଭଳି ସମୁଦ୍ର ଉପକୂଳରେ ସାମୁଦ୍ରିକ ଗେଣ୍ଡା ଦେଖାଯିବା ପରିବେଶର ସୁସ୍ଥତାକୁ ସୂଚିତ କରେ। ଆକାଶ ରଞ୍ଜନ ରଥ ଏହାକୁ ନେଇ ଲୋକମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ କଥାରେ, “ଏହା ପୁରୀ ବେଳାଭୂମିର ଏକ ବିଶେଷତ୍ୱ ଓ ସମୁଦ୍ରୀୟ ଜୀବବିବିଧତାର ପ୍ରମାଣ।”ଅନ୍ୟପକ୍ଷରେ, ସେ ଏହି ସୁଯୋଗକୁ ନେଇ ସରକାରଙ୍କୁ ପୁରୀ ବେଳାଭୂମିର ସାମୁଦ୍ରିକ ଜୀବନ୍ତୁମାନଙ୍କ ସଂରକ୍ଷଣ ଓ ଗବେଷଣା ପାଇଁ ଅଧିକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ପୁରୀ ସମୁଦ୍ର ଉପକୂଳରେ ପର୍ଯ୍ୟାପ୍ତ ଖାଦ୍ୟ ସମ୍ପଦ ଓ ସୁବିଧାଜନକ ପରିବେଶ ଥିବାରୁ ଏହା ସାମୁଦ୍ରିକ ଜୀବଜନ୍ତୁମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ଉଭୟ ରହିଛି।ସେହିପରି, ପୁରୀ ବେଳାଭୂମିରେ ଡଲଫିନ ଓ ସାମୁଦ୍ରିକ ଗେଣ୍ଡାର ଉପସ୍ଥିତି କୌଣସି ଅଶୁଭ ସଙ୍କେତ ନୁହେଁ, ବରଂ ଏହା ପ୍ରକୃତିର ସାମଞ୍ଜସ୍ୟ ଓ ସମୁଦ୍ରୀୟ ପରିବେଶର ସୁସ୍ଥତାର ଚିହ୍ନ ବୋଲି ପରିବେଶବିତ୍ମାନେ ସ୍ପଷ୍ଟ କରିଛନ୍ତି।

