ନ୍ୟୁଜ ଡେକ୍ସ : କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ବିରୋଧରେ ଦେଶର ୧୦ଟି ପ୍ରମୁଖ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନଙ୍କ ଡାକରାରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ପାଳନ କରାଯାଇଛି। ଏହି ହରତାଳକୁ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏଲପିଏଫ, ୟୁଟିୟୁସି, ସେବା ସହ ବିଭିନ୍ନ ସ୍ଵାଧୀନ ଫେଡେରେସନମାନେ ସମର୍ଥନ ଜଣାଇଛନ୍ତି।
ଏହାର ପ୍ରଭାବ ଦେଶର ଅନେକ ରାଜ୍ୟ ସହ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି।ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ଥିବା ‘ଆମ ବସ୍’ ଡିପୋରେ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଗେଟ୍ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯାହାର ଫଳରେ ସହରରେ କିଛି ବସ୍ ସେବା ବାଧାପ୍ରାପ୍ତ ହୋଇଥିଲା। ସେହିପରି CPI(M) ଓ CITU ପକ୍ଷରୁ ବିମଳଗଡ଼ ରେଳପଥକୁ ଅବରୋଧ କରାଯାଇଥିବାରୁ କିଛି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକସେବା ଭବନର କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ସକାଳ ସାଢେ ୯ଟା ସୁଦ୍ଧା ଅଫିସ ଯୋଗଦେବାକୁ କୁହାଯାଇଥିବା ବେଳେ, ସକାଳ ୧୦ଟା ୧୫ରେ ମୁଖ୍ୟ ଗେଟ୍ ବନ୍ଦ କରାଯାଇଥିଲା। ତଥାପି ସରକାରୀ ଅଫିସଗୁଡ଼ିକ ଖୋଲା ରହିଥିଲା।ବନ୍ଦକୁ ଅନ୍ୟାନ୍ୟ ସଂଗଠନମାନେ ସମର୍ଥନ ଜଣାଇଥିବାରୁ ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଓ ପରିବହନ ସେବାରେ ବିଘ୍ନ ସୃଷ୍ଟି ହେବାର ଆଶଙ୍କା ରହିଥିଲା।
କିନ୍ତୁ ଅତ୍ୟାବଶ୍ୟକ ସେବା ଯଥା ରୋଗୀ ଚିକିତ୍ସା, ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ୍, ସମ୍ବାଦ ସରବରାହ ଓ ଜଳଯୋଗାଣ ସେବାକୁ ଏହି ବନ୍ଦରୁ ମୁକ୍ତ ରଖାଯାଇଥିଲା।ଶ୍ରମିକ ସଂଗଠନମାନେ କହିଛନ୍ତି ଯେ, କେନ୍ଦ୍ରୀୟ ଶ୍ରମ ଆଇନ ଶ୍ରମିକଙ୍କ ଅଧିକାର କମାଇଦେଉଛି ଏବଂ ନିଯୁକ୍ତି ସୁରକ୍ଷାକୁ ଦୁର୍ବଳ କରୁଛି। ତେଣୁ ଏହି ଧର୍ମଘଟ ମାଧ୍ୟମରେ ସରକାରଙ୍କୁ ନୀତି ପୁନର୍ବିଚାର ପାଇଁ ଦାବି କରାଯାଇଛି।

