ନ୍ୟୁଜ ଡେକ୍ସ : ରାଜ୍ୟରେ ବୈଜ୍ଞାନିକ ଭିତ୍ତିଭୂମି, ଗବେଷଣା ଓ ନବସୃଜନକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନୂଆଦିଲ୍ଲୀରେ କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କ ସହ ସାକ୍ଷାତ କରି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ବୈଜ୍ଞାନିକ ଓ ପ୍ରଯୁକ୍ତି କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ବିସ୍ତୃତ ରୋଡମ୍ୟାପ ଉପରେ ଆଲୋଚନା ହୋଇଛି।
ବୈଠକ ସମୟରେ ମନ୍ତ୍ରୀ ପାତ୍ର ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ “ସାଇନ୍ସ ସିଟି” ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଥିଲେ। ଏହି ପ୍ରକଳ୍ପ ପାଇଁ ଭୁବନେଶ୍ୱର ଉପକଣ୍ଠରେ ପ୍ରାୟ ୧୦୦ ଏକର ଜମି ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରସ୍ତାବିତ ସାଇନ୍ସ ସିଟିରେ ଅତ୍ୟାଧୁନିକ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀ, ଗବେଷଣା କେନ୍ଦ୍ର ଓ ଶିକ୍ଷାମୂଳକ ସୁବିଧା ରହିବ, ଯାହା ଯୁବପିଢ଼ିକୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ସହ ନବସୃଜନକୁ ପ୍ରୋତ୍ସାହନ ଦେବ। ଏହା ସହ ରାଜ୍ୟରେ ଷ୍ଟାର୍ଟଅପ୍, ଗବେଷଣା ଓ ନବସୃଜନକୁ ଆଗକୁ ନେବା ନେଇ ମଧ୍ୟ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ଏବଂ ବୁର୍ଲାସ୍ଥିତ ଭିସୁଟ୍ରେ ଉପଲବ୍ଧ ଗବେଷଣା ଓ ପ୍ରୟୋଗଶାଳାର ବୈଷୟିକ କ୍ଷମତାକୁ ବ୍ୟବହାର କରି ଉପଗ୍ରହ ତଥ୍ୟ ପ୍ରୟୋଗ ଓ ତାହାର ଅଗ୍ରଗତି ଉପରେ ଗବେଷଣାମୂଳକ ପଦକ୍ଷେପ ଗ୍ରହଣ କରିବା ପ୍ରସ୍ତାବ ମଧ୍ୟ ରଖାଯାଇଛି।ତଦୁପରି, ଜାତୀୟ ଜୈବ ଇ-ଥ୍ରୀ ନୀତି ସହ ସମନ୍ୱୟ ରଖି ଓଡ଼ିଶାରେ ଜୈବ ଇ-ସେଲ୍ ସ୍ଥାପନ କରିବା ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିଥିଲା।
ଏହି କେନ୍ଦ୍ରଗୁଡ଼ିକ ଉଚ୍ଚକ୍ଷମତାସଂପନ୍ନ ଜୈବ ଉପାଦାନ, ପରିବେଶ-ଅନୁକୂଳ ପ୍ରଯୁକ୍ତି ଓ ଗବେଷଣାକୁ ପ୍ରାଥମିକତା ଦେବା ସହ ରାଜ୍ୟରେ ନୂଆ ଶିଳ୍ପ ସୃଷ୍ଟିର ମାର୍ଗ ପ୍ରଶସ୍ତ କରିବ।ବୈଠକ ଶେଷରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ଡ. ଜିତେନ୍ଦ୍ର ସିଂହଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଓଡ଼ିଶା–କେନ୍ଦ୍ର ସମନ୍ୱୟ ଦ୍ୱାରା ରାଜ୍ୟକୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ କେନ୍ଦ୍ରରେ ପରିଣତ କରିହେବ ବୋଲି ଆଶାବ୍ୟକ୍ତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଡ. ସିଂହ ମଧ୍ୟ ବିକଶିତ ଭାରତ ଲକ୍ଷ୍ୟ ପୂରଣରେ ଓଡ଼ିଶାର ଭୂମିକାକୁ ପ୍ରଶଂସା କରିବା ସହ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି।

