ନ୍ୟୁଜ ଡେକ୍ସ :ସହରବାସୀଙ୍କ ସୁରକ୍ଷା, ସାଧାରଣ ଶାନ୍ତି ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ଧ୍ୟାନରେ ରଖି Orissa High Court କଟକ ସହରରେ ଲେଜର୍ ଲାଇଟ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି। ସହର ସମସ୍ୟା ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ କୋର୍ଟ Cuttack ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି କଟକଣାକୁ ତତ୍କ୍ଷଣାତ୍ ଏବଂ କଡ଼ାକଡ଼ି ଭାବରେ ଲାଗୁ କରାଯାଉ।କୋର୍ଟ କହିଛନ୍ତି ଯେ, ଲେଜର୍ ଲାଇଟ୍ ଚକ୍ଷୁକୁ କ୍ଷତି, ଯାତାୟାତ ବାଧା ଓ ଅପ୍ରତ୍ୟାଶିତ ଦୁର୍ଘଟଣାର କାରଣ ହୋଇପାରେ।
ସେହିପରି, ଡିଜେ ବ୍ୟବହାର ଓ ୬୫ ଡେସିବଲ ଶବ୍ଦ ସୀମାକୁ ମଧ୍ୟ କଠୋର ଭାବେ ପାଳନ କରାଯିବାକୁ ପୋଲିସକୁ ନିର୍ଦ୍ଦେଶ ମିଳିଛି।କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାତି ୧୦ଟା ପରେ କୌଣସି ପ୍ରକାର ବାଜା, ଡିଜେ, ବାଣ ଫୁଟାଣି କିମ୍ବା ରୋଷଣୀ ହେବ ନାହିଁ। ଏହି ସମସ୍ତ ନିୟମ ଉଲ୍ଲଂଘନ ହେଲେ, ସେହି ସ୍ଥାନରେ ତତ୍କ୍ଷଣାତ୍ କଠୋର ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ସମୟରେ କଟକ ଡିସିପି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ ଏବଂ ନିୟମ ରୂପାୟଣରେ ପୋଲିସ ପକ୍ଷରୁ ସହଯୋଗ ଦିଆଯିବ ବୋଲି ଜଣାଇଥିଲେ।ଏହି ଆଦେଶ ପରେ କଟକ ସହରରେ ବିବାହ, ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଲେଜର୍ ଲାଇଟ୍, ଉଚ୍ଚ ଶବ୍ଦ ଓ ଆତଶବାଜି ଉପରେ କଡ଼ା ନିୟନ୍ତ୍ରଣ ଆସିବ। ସହରବାସୀଙ୍କୁ ନିୟମ ପାଳନ କରି ପରିବେଶ ଓ ସାମାଜିକ ଶାନ୍ତି ରକ୍ଷାରେ ସହଯୋଗ କରିବାକୁ କୋର୍ଟ ଆହ୍ୱାନ କରିଛନ୍ତି।

