Sat. Feb 21st, 2026

ନ୍ୟୁଜ ଡେକ୍ସ : ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲଫିନ ସଂଖ୍ୟା ହ୍ରାସ ପାଇଥିବା ସୂଚନା ମିଳିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ମୋଟ ୧୧ଟି ଡଲଫିନ କମିଥିବା ଜଣାପଡ଼ିଛି। ବନବିଭାଗ ପକ୍ଷରୁ ଧାମରା ମୁହାଁଣ ଠାରୁ ଦେବି ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକାର ନଦୀ ଓ କ୍ରିକ ମାନଙ୍କରେ ୯ଟି ଟିମ୍‌ ତିନି ଦିନ ଧରି ଡଲଫିନ ଗଣନା କରିଥିଲେ।

ଗତବର୍ଷ ଭିତରକନିକା ଓ ଗହୀରମଥା ଅଞ୍ଚଳରେ ୫ ପ୍ରଜାତିର ୫୦୪ଟି ଡଲଫିନ ଗଣନା ହୋଇଥିବା ବେଳେ ଚଳିତବର୍ଷ ଏହା ୪୯୩କୁ କମିଛି। ବିଶେଷ କରି ବାବୁବାଲି ଓ ହାବାଳୀଖଟି ନିକଟରେ ହମ୍ପବ୍ୟାକ ପ୍ରଜାତିର ଡଲଫିନ ଚଳିତବର୍ଷ ଅଧିକ ସଂଖ୍ୟାରେ ଦେଖାଯାଇଥିବା ଜଣାପଡ଼ିଛି।୨୦୧୫ ମସିହାରୁ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନରେ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା ଆରମ୍ଭ ହୋଇଥିଲା। ପୂର୍ବରୁ କେବଳ ଚିଲିକା ହ୍ରଦରେ ଡଲଫିନ ଗଣନା କରାଯାଉଥିଲା। ଚିଲିକାରେ ମୁଖ୍ୟତଃ ଇରାୱାଡି ପ୍ରଜାତିର ଡଲଫିନ ଦେଖାଯାଏ, କିନ୍ତୁ ଭିତରକନିକା ଓ ଗହୀରମଥା ଅଞ୍ଚଳରେ ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ପରିପଏସ, ଫିନଲେସ ଓ ଗାଙ୍ଗେଟିକ ପ୍ରଭୃତି ପ୍ରଜାତିର ଡଲଫିନ ଦେଖାଯାନ୍ତି।

ବନବିଭାଗ ମତାନୁସାରେ ଡଲଫିନ ସଂଖ୍ୟାର ହ୍ରାସ ପଛରେ ସମୁଦ୍ରୀୟ ପରିବେଶ, ମାଛ ଧରା କାର୍ଯ୍ୟକଳାପ ଓ ଜଳପଥର ଗତିବିଧି ପରି ଅନେକ କାରଣ ଥାଇପାରେ। ଏହାକୁ ନଜରରେ ରଖି ଡଲଫିନ ସୁରକ୍ଷା ଓ ତାଙ୍କର ଆବାସ ସଂରକ୍ଷଣ ପାଇଁ ବନବିଭାଗ ତରଫରୁ ଅଧିକ ସଚେତନତା ଓ ପଦକ୍ଷେପ ଗ୍ରହଣ କରାଯାଉଛି।

Leave a Reply

Your email address will not be published. Required fields are marked *